ଗାଁ ଗାଁରେ ଦେଶୀ ମଦର ବନ୍ୟା, ନୀରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ

0 147

ସୁବର୍ଣ୍ଣପୁର: ସୋନପୁର ଜିଲ୍ଲାର ହାଟ ବଜାର, ଖେଳ ପଡିଆ ଯେଉଁଠି ଦେଖିବେ ବିଛେଇ ହୋଇ ପଡିଥିବ ମଦ ପାଉଚ୍‌ ପଲିଥିନ୍‌ । ଗ୍ରାମାଞ୍ଚଳର ଛକ ଛକରେ ଦେଶୀ ମଦର ବନ୍ୟା । ସନ୍ଧ୍ୟା ହୋଇଗଲେ ବିଭିନ୍ନ ସ୍ଥାନରେ ଜମୁଛି ଦେଶୀ ମଦର ଆସର । ବିଭିନ୍ନ ପଶୁପକ୍ଷୀଙ୍କ ଫଟୋ ଥିବା ନକଲି ପଲିଥିନ୍‌ ପାଉଚ୍‌ ତିଆରି କରି ଅବାଧରେ ଚାଲିଛି ଚୋରା ଦେଶୀ ମଦ କାରବାର । ଜିଲ୍ଲାରେ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି ସତ, ହେଲେ ସେହି ଅବକାରୀ ବିଭାଗ ଏହା ପ୍ରତି ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ କହିଛନ୍ତି ସୋନପୁର ଜିଲ୍ଲାରେ ଯେଭଳି ଭାବରେ ଦେଶୀ ମଦର ବନ୍ୟା ଛୁଟୁଛି ଏଠି ଅବକାରୀ ବିଭାଗ ଅଛି ଭଳି ଲାଗୁନାହିଁ । ମଦ ପାଉଚ୍‌ ବିକ୍ରି ସଂପୂର୍ଣ୍ଣ ବାରଣ ହୋଇଥିବା ବେଳେ ଜିଲ୍ଲାରେ କିନ୍ତୁ ଖୁଲମଖୁଲା ଏହି ବ୍ୟବସାୟ ଚାଲିଥିବା ସେ କହିଛନ୍ତି ।

hiring

କେତେବେଳେ ଚୋରା ଗଞ୍ଜେଇ ୮-୯ କିଲୋ ଜବତ କଲା ପରେ ମାସ ଯାକର କାମ ତୁଟାଇ ଦିଏ ଅବକାରୀ ବିଭାଗ ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପରିବେଶବିତ୍‌ ଶ୍ୟାମାଓଁ ପ୍ରସାଦ ମିଶ୍ର କହିଛନ୍ତି ମଦ ପାଉଚ୍‌ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଛି । ଏଣେତେଣେ ପଡୁଛି ମଦ ପାଉଚ୍‌ । ତାହା ମାଟିରେ ମିଶି ନପାରି ମାଟିର ଉର୍ବରତା କ୍ଷୟ ହେଉଛି । ମଝିରେ ମଝିରେ ପ୍ରଶାସନ ପକ୍ଷରୁ ପଲିଥିନ ରୋକିବା ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ ଚାଲିଥିବା ବେଳେ ଖୁଲମଖୁଲା ମଦପାଇଁ ବ୍ୟବହୃତ ହେଉଥିବା ପଲିଥିନ କେତେ ମାଇକ୍ରୋନର ବୋଲି ଜିଲ୍ଲାର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ଅଳ୍ପ ପଲିଥିନ ପାଇଁ ଛୋଟ ଛୋଟ ପରିବା ବ୍ୟବସାୟୀଙ୍କ ପଲିଥିନ୍‌ ବ୍ୟବହାର ଉପରେ କଟକଣା ଲଗା ଯାଉଥିବା ବେଳେ ମଦ ପାଉଚ୍‌ରେ ବ୍ୟବହୃତ ପଲିଥିନ୍‌ ଏଣେତେଣେ ପଡୁଛି । ଅନ୍ୟପକ୍ଷରେ ଅତି ଶାନ୍ତ କମନୀୟ ପକ୍ଷୀମାନଙ୍କ ଫଟୋ ଚିତ୍ର ବ୍ୟବହାର କରି ମଦ ବିକ୍ରି କରୁଥିବାରୁ ଏହା ନିହାତି ନିନ୍ଦନୀୟ । ବିଭିନ୍ନ ସମୟରେ ଯାଞ୍ଚ କରି ମାମଲା ରୁଜୁ ହେଉଛି ବୋଲି କହିଛନ୍ତି ସୋନପୁର ଅବକାରୀ ଅଧୀକ୍ଷକ ସାମୁଏଲ ଏକ୍କା । ତେବେ ଅବକାରୀ ବିଭାଗର ଏଭଳି ଚିରାଚରିତ ଉତ୍ତରରେ ସୁବର୍ଣ୍ଣପୁର ଜିଲ୍ଲାରେ କେବେ ନିୟନ୍ତ୍ରଣକୁ ଆସିବ ମଦ ପାଉଚ୍‌ର ବ୍ୟବହାର ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

hiranchal ad1
Leave A Reply

Your email address will not be published.

1 × 4 =