ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ମନ୍ଦିରରେ ପ୍ରତିବର୍ଷ ନୂଆଁଖାଇ ଭୋଗ ପାଇଁ ସ୍ଥାନୀୟ ବଲବସପୁରରୁ ନୂଆଁ ଧାନ ଆସିଥାଏ ଓ ଏବର୍ଷ ପାଇଁ ଆଜି ପହଞ୍ଚିଛି । ପ୍ରତିଷ୍ଠିତ ପରମ୍ପରା ଅନୁଯାୟୀ ଏଥିରୁ ବିଧିପୂର୍ବକ ଚାଉଳ କଢା ଯାଇ ସେଥିରୁ ପ୍ରସ୍ତୁତ ଖିରୀକୁ ମାଁ ସମଲେଇଙ୍କ ସମ୍ମୁଖରେ ନୂଆଁଖାଇ ଭୋଗ ରୂପେ ଅର୍ପଣ କରାଯାଇଥାଏ । ଏଥର ପଣ୍ଡିତ ମହାସଭାରେ ବିଚାର ବିମର୍ଶ ପରେ ଆଗାମୀ ୧୧ ତାରିଖ ଶନିବାର ପୂର୍ବାହ୍ନ ୧୦ ଘଣ୍ଟା ୧୫ ମିନିଟରୁ ୧୦ ଘଣ୍ଟା ୨୫ ମିନିଟ ମଧ୍ୟରେ ନୂଆଁଖାଇ ଭୋଗ ପାଇଁ ଶୁଭ ଲଗ୍ନ ସ୍ଥିର କରାଯାଇଛି ଓ ସେହି ଅନୁସାରେ ଏହା କାର୍ଯ୍ୟକାରୀ କରାଯିବ । ତାହା ପରେ ଅଞ୍ଚଳବାସୀ ନିଜ ଘରେ ଇଷ୍ଟଦେବୀଙ୍କ ପୂଜାର୍ଚ୍ଚନା ସହିତ ନୂଆଁଖାଇ ପାଳନ କରିବେ ।