ଭକ୍ତବିହୀନ ମହାପ୍ରଭୁଙ୍କ ବର୍ଷାକାଳୀନ ରାହାସ ଉତ୍ସବ

0 73

ପୁରୀ : ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଭକ୍ତବିହୀନ ମହାପ୍ରଭୁଙ୍କ ବର୍ଷାକାଳୀନ ରାହାସ ଉତ୍ସବ ବା ଝୁଲଣ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି । ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ ଝୁଲିବେ ।
ଏହି ଯାତ୍ରା ୭ଦିନ ଧରି ଚାଲିବ । ଶ୍ରୀମନ୍ଦିରରେ ସଂଧ୍ୟାଆଳତୀ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜ ରେ ବିରାଜମାନ କରିଥାନ୍ତି । ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣକୁଞ୍ଜରେ ପ୍ରଭୁ ମଦନମୋହନ ପ୍ରାବୃଟ ରାସ କରିଥାନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତଥିବା ମଠମନ୍ଦିରରେ ମଧ୍ୟ ଏହି ଝୁଲଣ ଦେଖିବାକୁ ମିଳିଥାଏ । ପ୍ରାୟତଃ ଏକ ମାସ ପୂର୍ବରୁ କାରିଗର ମାନେ ଶୁଦ୍ଧପୂତ ଭାବେ ଏହି ଝୁଲଣ ନିର୍ମାଣରେ ଲାଗିଥାନ୍ତି । କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ବ୍ୟବହାର କରାଯାଇଥାଏ । ଏହି କୁଞ୍ଜରେ କେବଳ ଦେବା ଦେବୀ ନୁହନ୍ତି ସଖୀ, ପଶୁ, ପକ୍ଷୀ ତଥା ବିଭିନ୍ନ ଗଛଲତା ସହ ସୁବାସିତ ଫୁଲ ସହ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ । ଯାହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥାଏ ।କିନ୍ତୁ କୋଭିଡ କଟକଣା ଭିତରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଝୁଲଣ ଯାତ୍ରା ହେବ ।
ବିଭିନ୍ନ ମଠରେ ସ୍ୱତନ୍ତ୍ର ଶୈଳୀରେ ଚାଳି ତିଆରି ହୋଇ ପଛପାର୍ଶ୍ୱରେ ଝୁଲଣ କୁଞ୍ଜ ତିଆରି ହୋଇଛି ।ମେଢଫୁଲ,ଜରି ଜମ୍ବୁରା ଓ ସୋଲର ଆକର୍ଷଣୀୟ କାରୁକାର୍ଯ୍ୟ, ଶୁଆସାରୀ, ବଣିପାରା,ଗୁଣ୍ଡୁଚିମୂଷା, ମାଙ୍କଡ଼ ସହ ବିଭିନ୍ନ ବନ୍ୟପ୍ରାଣୀ ଝୁଲଣ କୁଞ୍ଜରେ ଖଞ୍ଜାଯାଇଛନ୍ତି । ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରାର ସ୍ୱତନ୍ତ୍ରତା ଥିବାବେବେଳ କେବଳ ବିଧି ଓ ପରମ୍ପରା ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବ । ଶ୍ରୀଜଗନ୍ନାଥ ବା ମାଧବ ଭକ୍ତ ପ୍ରିୟ ।ସଂଧ୍ୟା ୭ଟାରେ ଦର୍ଶନ ବନ୍ଦ ହେଉଥିବାରୁ ଭକ୍ତ ମାନେ ଏହା ଦେଖିବାରୁ ବଞ୍ଚିତ ହେବେ ।ସେପଟେ କୋଭିଡ କଟକଣା ପାଇଁ ମଠରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ । ପୁରାଣ ରେ ବର୍ଣ୍ଣନା ଅନୁଯାୟୀ ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଓ ରାଧାରାଣୀ ଝୁଲଣ କୁଞ୍ଜର ରାସଲୀଳାକୁ ସ୍ମରଣ କରି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଏହି ମହାନ ପରମ୍ପରା କାହିଁ କେଉଁ ବର୍ଷରୁ ଚାଲିଆସୁଛି ।

hiranchal ad1
Leave A Reply

Your email address will not be published.

13 + 6 =