କନ୍ଧମାଳ: ଓଡ଼ିଶା ସାମ୍ବାଦିକମାନଙ୍କ ସ୍ୱର ଦିଲ୍ଲୀରେ ଠିକ୍ ଭାବରେ ପହଞ୍ଚି ପାରୁନଥିବା ବେଳେ ଓଡ଼ିଶା ସାମ୍ବାଦିକ ସଙ୍ଘ କନ୍ଧମାଳ ଜିଲ୍ଲା ସଭାପତି ରାଧାମୋହନ ମହାପାତ୍ର ଦିଲ୍ଲୀ ସୂଚନା ଭବନରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆର ଅଧକ୍ଷ ଜଷ୍ଟିସ ଚନ୍ଦ୍ରମୌଳି କୁମାର ପ୍ରସାଦଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଓଡ଼ିଶା ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିବା ସହିତ ସମସ୍ୟାର ସମାଧାନ କିଭଳି ହୋଇପାରିବ, ସେନେଇ ସକାରାତ୍ମକ ଆଲୋଚନା କରିଛନ୍ତି । ଓଡ଼ିଶାରେ ଦିନକୁ ଦିନ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି ଓ ସାମ୍ବାଦିକ ମାନଙ୍କ ଉପରେ ମିଥ୍ୟା ମାମଲା ରୁଜୁ ହେଉଛି ବୋଲି ଅଭିଯୋଗ ହେଉଛି, ହେଲେ ତାର ସମାଧାନ ହେବାରେ ବିଳମ୍ବକୁ ନେଇ ବହୁତ୍ ସମୟରେ ସାମ୍ବାଦିକ ସଂଗଠନ ଓ ବ୍ୟକ୍ତିଗତ ଭାବେ ସାମ୍ବାଦିକମାନେ ଲଢେ଼ଇ କରି ବହୁତ୍ ହଇରାଣ ହରକତ ହେଉଛନ୍ତି । ସେମାନଙ୍କୁ ସହଯୋଗ କରିବା ସହିତ ସେମାନଙ୍କ ସମସ୍ୟା କିଭଳି ତ୍ୱରିତ ସମାଧାନ ହୋଇପାରିବ ସେନେଇ ଅଧକ୍ଷଙ୍କ ସହିତ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଯେଉଁ ସମସ୍ୟା ଆସିବ ତାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ରାଧାମୋହନ ମହାପାତ୍ର । ସାମ୍ବାଦିକମାନଙ୍କ ହିତ ସାଧନ ପାଇଁ ସବୁବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟର ଦାବୀ ଉପସ୍ଥାପନ କରିଆସୁଥିବା ବେଳେ ଏବେ ଦିଲ୍ଲୀ ଦରବାରରେ ପିସିଆଇ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିବା ପରେ କନ୍ଧମାଳ ଜିଲ୍ଲା ତଥା ସାରା ଓଡ଼ିଶାର ବିଭିନ୍ନ କୋଣରୁ ସାମ୍ବାଦିକମାନଙ୍କ ତରଫରୁ ରାଧାମୋହନ ମହାପାତ୍ରଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।