ବିଦ୍ୟୁତ୍‌ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

0 391

ଦଶପଲ୍ଲା : ଘଣ୍ଟା ଘଣ୍ଟା ଧରି ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ କରି ନିଘୋଡ ନିଦରେ ଶୋଇଯାଉଛନ୍ତି ବିଦ୍ୟୁତ୍‌ ଅଧିକାରୀ । ଫୋନ୍‌ ଧରୁନାହାନ୍ତି କି ଅଭିଯୋଗ କଲେ କିଛି ବି ଶୁଣୁନାହାନ୍ତି । ଏଭଳି କିଛି ଅଭିଯୋଗ ଆଣିବା ସହ ରାଜପଥ ଉପରେ ବିଦ୍ୟୁତ୍‌ ବିତରଣ ସଂସ୍ଥାର କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଦଶପଲ୍ଲା ବ୍ଲକ୍‌ ଟାକରା ପଞ୍ଚାୟତର ବୁଗୁଡ଼ା,ବୁଗୁଡା କଲୋନୀ,ଟାକରା, ଗୋପାଳପୁର, ତିଳାବାଡି ଗ୍ରାମର ଉତ୍ତ୍ୟକ୍ତ ଗ୍ରାମବାସୀ । ଯାହାର ପ୍ରତିବାଦରେ ରାଜପଥ ଉପରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କୌଣସି କାରଣ ନଥାଇ ଦୈନିକ ବାଣୀଗୋଛା ଫିଡର୍‌ୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରି ଦିଆଯାଉଛି । ଯାହାକୁ ନେଇ ପ୍ରାୟ ୪ / ୫ଟି ପଞ୍ଚାୟତର ହଜାର ହଜାର ଉପଭୋକ୍ତା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫୋନ୍‌ କଲେ ଅଧିକାରୀମାନେ ଫୋନ୍‌ ଗ୍ରହଣ କରୁନାହାନ୍ତି । ଯାହା ଫଳରେ ବଣଜଙ୍ଗଲଘେରା ଅଞ୍ଚଳ ମଧ୍ୟରେ ଜନସାଧାରଣଙ୍କୁ କଷ୍ଟକର ଜୀବନଯାପନ କରିବାକୁ ପଡ଼ୁଛି । ଯାହାକୁ ନେଇ ଗତକାଲି ସଂଧ୍ୟାରେ କିଛି କର୍ମଚାରୀ ବୁଗୁଡ଼ା ଅଭିମୁଖେ ଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣ ବିଦ୍ୟୁତ କାଟ ସମ୍ପର୍କରେ ପଚାରିଥିଲେ । କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସ୍ଥାନୀୟ ଅଧିବାସୀ ଉତ୍ତ୍ୟକ୍ତ ହେବା ସହ ପ୍ରାୟ ୫ / ୬ ଜଣ କର୍ମଚାରୀଙ୍କୁ ରାଜପଥ ଉପରେ ପ୍ରାୟ ୩ ଘଣ୍ଟା ଅଟକ ରଖିଥିଲେ । ବିଦ୍ୟୁତ୍‌ ସରବରାହ ସ୍ୱାଭାବିକ ହେବାପରେ କର୍ମଚାରୀ ମାନେ ଫେରିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

sixteen + fourteen =