୫-ଟି ସଚିବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନବନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

0 274

ସୁବର୍ଣ୍ଣପୁର : ଇତି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ୫-ଟି ସଚିବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । କୃଷି ଅର୍ଥନୀତିକୁ ପୁଞ୍ଜି କରି ଜୀବନ ନିର୍ବାହ କରୁଥିବା ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ, ତେଲନଦୀ, ଅଙ୍ଗ ଓ ହରିହର ପରି ଚିରସ୍ରୋତା ନଦୀ ଥିବା ବେଳେ ଭରପୁର ଜଳଉତ୍ସ ରହିଛି । ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଓ ବିନିକା ଦୁଇଟି ବ୍ଲକ ହୀରାକୁଦ ସେଚାଞ୍ଚଳରେ ରହିଥିବାବେଳେ ଅନ୍ୟ ୪ ଟି ବ୍ଲକ ବର୍ଷା ଜଳ ଉପରେ ନିର୍ଭରଶୀଳ । ନିର୍ମାଣଧୀନ ମେଗା ଜଳସେଚନ ପ୍ରକଳ୍ପ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ତଥା ଜିଲ୍ଲା ସଦର ମହକୁମାରେ ନିର୍ମାଣାଧୀନ ଥିବା ସୁପର ସ୍ପେଶାଲିଟି ଡାକ୍ତରଖାନାକୁ ୨୦୨୪ ପୂର୍ବରୁ କାର୍ଯ୍ୟକ୍ଷମ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ, ଡୁଙ୍ଗୁରିପାଲି, ବିନିକା ଓ ତରଭା ରେ ଅନେକ ବିଭାଗୀୟ ଡାକ୍ତର ପଦବୀ ଶୀଘ୍ର ପୂରଣ କରାଯିବାପାଇଁ ଓ ସୋନପୁର ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ଦେବା ସହ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲକୁ କାର୍ଯ୍ୟକ୍ଷମ କରାଯିବା ଉପରେ ଦାବିପତ୍ରରେ ଉଲ୍ଲେଖ କରିଥିଲେ । ଏପରିକି ଜିଲ୍ଲାରେ ଏକ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓ ବହୁଦିନରୁ ବନ୍ଦ ହୋଇଯାଇଥିବା ସୋନପୁର ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ବୋଲି ମଧ୍ୟ ଦାବି ରଖାଯାଇଛି । ସଂସ୍କୃତି ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଥିଲେ ମଧ୍ୟ ସରକାର ସେଥିପ୍ରତି ବିଶେଷ ଦୃଷ୍ଟି ଦେଇ ନାହାନ୍ତି । ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଧାରଣ କରି ଶୈବ, ଶାକ୍ତ, ବୈଷ୍ଣବ ଓ ମହିମା ଧର୍ମର ଏକ ସମନ୍ୱୟ ମାଟି ସୁବର୍ଣ୍ଣପୁର ଜିଲ୍ଲା । ପାତାଳି ଶ୍ରୀ କ୍ଷେତ୍ରର ସାମଗ୍ରିକ ବିକାଶ କରିବାକୁ ତଥା ରାଜ୍ୟସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ପର୍ଯ୍ୟଟନସ୍ଥଳୀ ଏସ. ରାମପୁର ନିକଟରେ ଥିବା ପୂଜା ଡୁଙ୍ଗୁରି, ବିନିକାର ପାପକ୍ଷୟ ଘାଟ, ଚରଦାର କପିଳେଶ୍ୱର ମନ୍ଦିର, ତରଭାର ଚୁଡା ଖାଇ ପାହାଡ଼, ଖଲିଆପାଲି ସ୍ଥିତ ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠ, ବୀରମହାରାଜପୁର ନିକଟ ଗୋଧନେଶ୍ୱର ଓ ଚମ୍ପେଶ୍ୱର ଶୈବପୀଠ ସହ ଠେଙ୍ଗୋ ଡ୍ୟାମ ଏବଂ ଦେଉଳଝରି ଗୁମ୍ଫାର ବିକାଶକୁ ତ୍ୱରାନ୍ୱିତ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ଉଲୁଣ୍ଡା ନିକଟ ଶାକ୍ତ ଭୂମି ଦେବୀ ମେଟାକାନିଙ୍କ ପୀଠକୁ ମଧ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯିବାକୁ ଗୁରୁତ୍ୱ ଦେଇ ସର୍ବୋପରି ମନ୍ଦିର ମାଳିନୀ ତଥା ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୁବର୍ଣ୍ଣପୁର ସହରକୁ ଏକ ହେରିଟେଜ ସହର ଭାବରେ ଗଢିବା ସହ ମହାନଦୀରେ ସର୍ବକାଳୀନ ବୋଟିଙ୍ଗ ବ୍ୟବସ୍ଥା ସହ ବହିରାଗତ ପର୍ଯ୍ୟଟକମାନଙ୍କ ପାଇଁ ଏକ ସୁବର୍ଣ୍ଣହାଟ କଳ୍ପନା କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସୋନପୁରର ପ୍ରସିଦ୍ଧ ପାଟ ଓ ଅନନ୍ୟ ବାନ୍ଧକଳାର ବସ୍ତ୍ର ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛି । ଏଣୁ ଏହାର ଉପଯୁକ୍ତ ସରକାରୀ ପ୍ରୋତ୍ସାହନ ଦରକାର । ସୁବର୍ଣ୍ଣପୁର ଜିଲ୍ଲା ର ସାମଗ୍ରିକ ବିକାଶ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଓ ଉପାଧ୍ୟକ୍ଷ ଝସକେତନ ବଘାର ମାନ୍ୟବର ୫-ଟି ସଚିବଙ୍କୁ ସାକ୍ଷାତ କରି ଉପରୋକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି ଓ ୫-ଟି ସଚିବଙ୍କୁ ଅତିଶୀଘ୍ର ଏ ସମସ୍ତ ଦାବି ପ୍ରତି ସଦୟ ଦୃଷ୍ଟି ଦେଇ ଯଥାଶୀଘ୍ର ଏହିସବୁ ପୂରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × 4 =