ନୂଆଦିଲ୍ଲୀ: ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରକ୍ରିୟାରେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାଳି ପଡ଼ିପାରେ । ଖୁବଶୀଘ୍ର ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଜୟରାମଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏହି ଚର୍ଚ୍ଚା ହେଉଥିବା କୁହାଯାଇଛି । ଦୁଇଦିନ ତଳେ ଜୟରାମ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ସାକ୍ଷାତ କରି ଫେରିଥିଲେ ହେଁ ପୁଣି ଥରେ ତାଙ୍କୁ ଦିଲ୍ଲୀରୁ ଡାକରା ଆସିବା ସମସ୍ତଙ୍କ ଦ୍ୱନ୍ଦ୍ୱରେ ପକାଉଛି । ଏହାପୂର୍ବରୁ ଗୁଜରାଟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇ ଗତକାଲି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ବିଜେପିର ଏହି ଆଭ୍ୟନ୍ତରୀଣ ମାମଲାକୁ ନେଇ କଂଗ୍ରେସ କଡ଼ା ଟିପ୍ପଣୀ ଦେଇଛି । ଜୟରାମଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ଅପରପକ୍ଷେ ଭାଜପା ପକ୍ଷରୁ ଏହି ମନ୍ତବ୍ୟକୁ ଖଣ୍ଡନ କରାଯାଇଛି ।