ପୁରୀ : କାର୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ସମୁଦ୍ର କୂଳରେ ହାବିଷ୍ୟାଳି ମାନେ ବାଲୁକା ପୂଜା କରି କାର୍ତ୍ତିକ ବ୍ରତ ଉଦଯାପିତ କରିଛନ୍ତି । ପବିତ୍ର ମହୋଦଧି ଜଳ ସିଞ୍ଚନ କରି ପ୍ରଭୁ ସୁର୍ଯ୍ୟ ଦେବତାଙ୍କୁ ଦର୍ଶନ କରି କାର୍ତ୍ତିକ ବ୍ରତ ଶେଷ କରିଛନ୍ତି । ସେହିପରି କାର୍ତ୍ତିକ ବ୍ରତ ଆଜି ବୋଇତରେ ପାନ ଗୁଆ ଚାଉଳ ଦୀପ ଥୋଇ ବୋଇତ ଭସାଇଛ଼ନ୍ତି ମହଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ । ବିଶ୍ୱାସ ରହିଛି ଏହା କଲେ ଅଶେଷ ପୁଣ୍ୟ ମିଳିଥାଏ । ସେପଟେ ଓଡିଶାର ପରମ୍ପରା ଅନୁଯାୟୀ ଆଜି ପୁରୀବାସୀମାନେ ମଧ୍ୟ କଦଳୀ ପାଟୁଆ , କାଗଜ ଡଙ୍ଗା ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ସମୁଦ୍ରରେ ଭସାଇଛ଼ନ୍ତି । ଅତୀତରେ ଓଡିଶାର ସାଧବ ପୁଅମାନେ ଏହି ଦିନରେ ବ୍ୟବସାୟ ପାଇଁ ବିଦେଶକୁ ଯାଇଥିଲେ । ସେତେବେଳେ ସାଧବ ପୁଅମାନଙ୍କୁ ବନ୍ଦାପନା କରି ବିଦାୟ ଦେଉଥିଲେ । ସେହି ପରମ୍ପରା ସ୍ମୃତିରେ ଶ୍ରୀକ୍ଷେତ୍ରବାସୀ ସମୁଦ୍ରରେ ବୋଇତ ଭସାଇ ଅତିତର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛ଼ନ୍ତି । ଭୋରରୁ ଉଠି ବୋଇତ ଭସାଇ ଓଡ଼ିଆ ଘରର ପରମ୍ପରା ଉଜ୍ଜିବିତ କରିଛନ୍ତି ।