ଦଶପଲ୍ଲା : ଲଗାଣ ବର୍ଷା ଯୋଗୁଁ ଗତ ୭ ଦିନ ଧରି ଗଣିଆ ବ୍ଳକର ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଆଡକଟା ପଞ୍ଚାୟତ ସିତୁଳିଆ ସାହିରେ ଶନିବାର ବିଳମ୍ବିତ ରାତିରେ ଗ୍ରାମର ଅଜୁ ଗଡତିଆଙ୍କ ଚାଳ ଘର ଉପରେ ଗଛ ପଡ଼ି ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଆସବାବପତ୍ର ନଷ୍ଟ ହୋଇଯାଇଛି । ପରିବାର ଲୋକେ ଘରେ ଶୋଇଥିବା ବେଳେ ଅଚାନକ ଏଭଳି ଘଟଣା ଘଟିବାରୁ ସମସ୍ତେ ଭୟଭୀତ ହୋଇଯାଇଥିଲେ । ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗଛ ପଡି ରୋଷେଇ ସାମଗ୍ରୀ ଭାଙ୍ଗି ଯାଇଥିବାରୁ ରୋଷେଇ ନକରି ଅଖିଆ ଅପିଆ ରହିଛନ୍ତି ଅଜୁଙ୍କ ପରିବାର । ଆଗକୁ ଯଦି ବର୍ଷା ହୁଏ ,ତେବେ ଘର ଭିତରେ ପାଣି ପଶି ଘର ଭାଂଗିଯିବା ଯଥେଷ୍ଟ ସମ୍ଭାବନା ରହିଛି । ଘର ଭାଙ୍ଗି ଯାଇଥିବାରୁ ୫ ପ୍ରାଣୀ କୁଟୁମ୍ବ ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଖୋଲା ଆକାଶ ତଳେ ଜୀବନ ଅତିବାହିତ କରୁଛନ୍ତି ସେମାନେ । ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । ତେବେ ଖବର ପାଇ ଅତିରିକ୍ତ ତହସିଲଦାର ବନମାଳୀ ପରିଡା ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି ।