ପୁରୀ : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୁରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ପୁରୀ ଜିଲାପାଳ ଓ ଏସ୍ପିଙ୍କ ଅଫିସ ଆଗରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଇଛି । ହତ୍ୟାକାଣ୍ଡ ଘଟଣାରେ ଗୃହ ମନ୍ତ୍ରୀ ଦିବ୍ୟଗଙ୍କର ମିଶ୍ରଙ୍କ କାର୍ଯ୍ୟକଳାପ ସଂଦେହ ଜନକ ଥିବା ବେଳେ ପୋଲିସ ଏ ନେଇ ତଦନ୍ତ କରୁନାହିଁ । ଏହାର ପ୍ରତିବାଦରେ ପୁରୀ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଛି । ତେବେ ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟରେ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବିଜେପି ଯୁବ ମୋର୍ଚ୍ଚା କର୍ମୀ ପୋଲିସ ବ୍ୟାରିକେଡ ଭାଙ୍ଗିବା ସହ ଅଣ୍ଡା ମାଡ଼ କରିଥିଲେ । କିଛି ସମୟ ପୁରୀ ଏସ୍ପିଙ୍କ ଅଫିସ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ତେବେ ପୋଲିସ ପକ୍ଷରୁ ଘଟଣାକୁ ନିୟନ୍ତ୍ରଣ କରାଯାଇ ଥିଲା । ବିଜେପି ଯୁବ ମୋର୍ଚ୍ଚାର କହିବା କଥା ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଯୁବକ ମାନଙ୍କ ମଧ୍ୟରେ ପ୍ରଚଣ୍ଡ ଆକ୍ରୋଶ ସୃଷ୍ଟି ହୋଇଛି । ଯାହାକି ଆଜି ପୁରୀରେ ପ୍ରତିଫଳିତ ହୋଇଛି ।
