ସୁବର୍ଣ୍ଣପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ

0 81

ସୁବର୍ଣ୍ଣପୁର ୨୬/୧୦ ଜନ ଜୀବନରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବାର ସଂକଳ୍ପ ପ୍ରତ୍ୟେକ ନିଜେ ନିଜ ସ୍ତରରେ ବିବେକାନୁମୋଦିତ ଭାବେ କର୍ତ୍ତବ୍ୟ ସମ୍ପାଦନ ସହ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇବାକୁ ଗୁରୁତ୍ୱାରୋପ କରିବା ସଂକଳ୍ପ ନେଇ ଭାରତର ପୂର୍ବତନ ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୁଣ୍ୟ ଜନ୍ମ ତିଥି ପାଳନ ଅବସରରେ ସମଗ୍ର ଦେଶରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନରଙ୍କ ନିର୍ଦ୍ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ବର୍ଷ ଅକ୍ଟୋବର ୨୬ ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଦୁର୍ନୀତିର ମୁଳୋତ୍ପାଟନ କରିବା ପାଇଁ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖି ଅନୁଷ୍ଠାନର ଅଭିବୃଦ୍ଧି ଓ ସୁଖ୍ୟାତି ନିମନ୍ତେ ସତର୍କତା ଅବଲମ୍ବନ ପୂର୍ବକ ବିନାଦ୍ୱିଧାରେ ଏବଂ ବିବେକାନୁମୋଦିତ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ଜନସାଧାରଣଙ୍କୁ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇଦେବା ପାଇଁ ଶପଥ ପାଠ କରାଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରାରମ୍ଭିକ ସୂଚନା ଦେବାସହ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ୱନ୍ଧରେ ଅବଗତ କରାଇଥିଲେ । ଏହି ଶପଥ ପାଠ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଜିଲ୍ଲା ସ୍ତରୀୟ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ବିଭିନ୍ନ ଶାଖା ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ ସମସ୍ତ କର୍ମଚାରୀ ସମେତ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ସୁବର୍ଣ୍ଣପୁର ତରଫରୁ ତୁଷାର କାନ୍ତ ମହାପାତ୍ର- ଆରକ୍ଷୀ ନିରୀକ୍ଷକ, ବିଭାଗୀୟ କର୍ମଚାରୀ ନନ୍ଦ କିଶୋର ବଗର୍ତ୍ତୀ, ବିଷ୍ଣୁପ୍ରସାଦ ଜାଲ, ଦିଲୀପ କୁମାର ଭୂୟାଁ ପ୍ରମୁଖ ଯୋଗଦାନ କରିଥିଲେ । ଏହି ସପ୍ତାହ ପାଳନ ଅବସରରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ସପ୍ତାହ ବ୍ୟାପି ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଏବଂ ଗ୍ରାମ ସଭା ଅନୁଷ୍ଠିତ କରାଯିବାର ଯୋଜନା ରହିଛି । ଆସନ୍ତା ୨୯ ତାରିଖ ସକାଳ ୮ ଘଣ୍ଟା ସମୟରେ ଜନସଚେତନତା ପାଇଁ ସୋନପୁର ସହରରେ ସ୍ଥାନୀୟ ବ୍ଲକ ଛକ ଠାରୁ ଗାନ୍ଧୀ ପଡିଆ ପର୍ଯ୍ୟନ୍ତ ଏକ ୱାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଯୁବକଯୁବତୀ, ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିବେ ।

hiranchal ad1
Leave A Reply

Your email address will not be published.

1 + 19 =