ଭାରତୀୟ ମଜଦୂର ସଙ୍ଘର ୭୦ତମ ପ୍ରତିଷ୍ଠା ଦିବସ

0 26

ଫୁଲବାଣୀ : ଦେଶର ସର୍ବବୃହତ ଶ୍ରମିକ ସଙ୍ଗଠନ ଭାରତୀୟ ମଜଦୂର ସଙ୍ଘ (ବିଏମଏସ) ର ୭୦ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ତେଜ ବାଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଶ୍ରମ ନୀତି,ଓ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ୧୯୫୫ମସିହାରେ ଦନ୍ତୋପନ୍ତ ଠେଙ୍ଗଡେଜୀ ଦ୍ୱାରା ଏହା ଗଠନ କରାଯାଇଥିଲା। ସେ ଏହାର ସ୍ରଷ୍ଟା ଓ ସଂସ୍ଥାପକ ଥିଲେ। ସେ ଦୁଇ ଦୁଇ ଥର ସାଂସଦ ହୋଇଥିଲେ। ଜାତୀୟ ଶ୍ରମ ଇତିହାସରେ ପ୍ରଥମ ଥର ଶ୍ରମିକମାନଙ୍କ ହିତ ପାଇଁ ଏକ ଦାବୀପତ୍ର ୧୯୬୯ରେ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ପ୍ରଦାନକରି ଶୋଷଣମୁକ୍ତ ଓ ସମତାଯୁକ୍ତ ସମାଜ ପାଇଁ ଦାବୀ ରଖିଥିଲେ। ଅଣ ରାଜନୈତିକ ଶ୍ରମିକ ସଙ୍ଗଠନ ଭାବେ ବିଏମଏସ ଆନ୍ତର୍ଜାତୀୟ ସ୍ତରରେ ସର୍ବ ବୃହତ ସଙ୍ଗଠନର ମାନ୍ୟତା ପାଇଛି। ରାଷ୍ଟ୍ର ନିର୍ମାଣରେ ଶ୍ରମିକଙ୍କ ଆସ୍ଥା ଓ ବିଶ୍ୱାସକୁ ପାଥେୟ କରି ବିଏମ ଏସ ଆଗେଇ ଚାଲିଛି। ବିଏମଏସର ସ୍ଲୋଗାନ ହେଲା ରାଷ୍ଟ୍ର ହିତ, ଉଦ୍ୟୋଗ ହିତ ଓ ଶ୍ରମିକ ହିତ। ରାଷ୍ଟ୍ର ହିତମେ କରେଙ୍ଗେ କାମ-କାମକେ ଲିୟେ ଲେଙ୍ଗେ ପୁରେ ଦାମ। ଶ୍ରମିକ ନିଷ୍ଠାପର ଭାବେ ରାଷ୍ଟ୍ର ହିତରେ କାର୍ଯ୍ୟକରିବାକୁ ହେବ। ଉଦ୍ୟୋଗର ଉନ୍ନତି ହେଲେ ଶ୍ରମିକର ଉନ୍ନତି ହେବ। ତେଣୁ ଉଦ୍ୟୋଗପତି ଓ ସରକାର ଉଭୟେ ଶ୍ରମିକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ଆବଶ୍ୟକ। କନ୍ଧମାଳ ଜିଲ୍ଲା ଭାରତୀୟ ମଜଦୂର ସଂ(ବିଏମଏସ)ର ସଭାପତି ଅଶୋକ ପରିଡାଙ୍କ ପରାମର୍ଶ କ୍ରମେ ଜିଲା ଆଶାକର୍ମୀ, ଅଙ୍ଗନବାଡି କର୍ମୀ,କୃଷି ଓ ନିର୍ମାଣ ଶ୍ରମିକ ମାନଙ୍କୁ ନେଇ ୭୦ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ପାଳନ କରାଯାଇଛି।ଏହି ଅବସରରେ ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରମିକଙ୍କ ହିତ ପାଇଁ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଂଶୀଧର ପଣ୍ଡା ଦେଶ ବିକାଶରେ ଶ୍ରମିକ ସର୍ବାଗ୍ରେ ବୋଲି କହିଥିଲେ।ଭାରତୀୟ ମଜଦୂର ସଙ୍ଘ ସହ ଅନୁବନ୍ଧିତ ଜିଲା ଆଶାକର୍ମୀ ସଙ୍ଘ ସଭାନେତ୍ରୀ ଅମ୍ବିକା ବେହେରା, ଅଙ୍ଗନବାଡି କର୍ମୀ ସଙ୍ଘ ଉପସଭାନେତ୍ରୀ ଆରତୀ ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ସଙ୍ଘ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉପସ୍ଥିତ ସମସ୍ତ ସଦସ୍ୟମାନେ ବିଏମଏସ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ଗୋପାଳ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ୱଛାସେବୀ ପ୍ରଶାନ୍ତ କୁମାର ପ୍ରଧାନ, ପ୍ରମୋଦ ସାହୁ, ରାଜ କିଶୋର ପାଢୀ, ଉମେଶ ପାତ୍ର, ଜୟସେନ ପରିଡା, କାହ୍ନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ।

hiranchal ad1
Leave A Reply

Your email address will not be published.

eight − seven =