ବିଫଳତା ହିଁ ସଫଳତାର ପ୍ରଥମ ପାହଚ : ଜଷ୍ଟିସ ଡ଼. ବି.ଆର.ଷଢ଼ଗୀ

0 65

ଦଶପଲ୍ଲା : ବିଫଳତା ପ୍ରମାଣ କରିଦିଏ ଯେ, ସଫଳତା ପାଇଁ ପୂର୍ଣ୍ଣ ପ୍ରାଣରେ ପ୍ରଚେଷ୍ଟା କରାଯାଇନାହିଁ । ଥରେ ଦୁଇଥର ହାରିବା,ଜୀବନ ବିଫଳତା ବୋଲି ଭାବିବା ଉଚିତ ନୁହେଁ । କାରଣ ହାରିବା ହିଁ ପରବର୍ତ୍ତୀ ସମୟରେ ସଫଳତାର ବାଟ ଦେଖାଏ । ଆଜିର ଯୁବପିଢ଼ି ପ୍ରଥମ ବିଫଳତାରେ ନିରାଶ ନହୋଇ ପରିଶ୍ରମ ତଥା କର୍ତ୍ତବ୍ୟ କରିଚାଲିଲେ ସଫଳତା ନିଶ୍ଚିତ ମିଳିବ । ଆଜି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହି ପରାମର୍ଶ ଦେଇଛନ୍ତି ମହାବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଓଡ଼ିଶା ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଜଷ୍ଟିସ ଡ.ବିଦ୍ୟୁତ ରଂଜନ ଷଢ଼ଙ୍ଗୀ । ନିଜେ ପାଠ ପଢ଼ୁଥିବା ଜଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗଦାନ କରି ଆତ୍ମବିଭୋର ହୋଇ ଉଠିଥିବା ଜଷ୍ଟିସ ଷଢ଼ଙ୍ଗୀ କହିଲେ ଯେ ମୁଁ ଆଜି ନିଜକୁ ଜଣେ ବିଚାରପତି ବୋଲି ଭାବୁନାହିଁ । ମୁଁ ଏଠି ଜଣେ ସାଧାରଣ ମଣିଷ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ହୀରକ ଜୟନ୍ତୀ ସମାରୋହରେ ଅନ୍ୟତମ ଅତିଥିଭାବେ ପୁରାତନ ଛାତ୍ର ତଥା ଭୁବନେଶ୍ୱର ସମ ହସ୍ପିଟାଲ ନିର୍ଦ୍ଦେଶକ ଡା.ବାନାମ୍ବର ରାୟ,ପୂର୍ବତନ ଛାତ୍ର ସଂସଦ ସାଧାରଣ ସଂପାଦକ ତଥା ଚିଲିକା ବିଧାୟକ ଡ.ଦେବେନ୍ଦ୍ର ମାନସିଂ, ମହାବିଦ୍ୟାଳୟ ଆଲୁମିନି କମିଟି ସଭାପତି ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୁରାତନ ଛାତ୍ର ଦଶପଲ୍ଲା ବିଧାୟକ ରମେଶ ବେହେରା, ପୂର୍ବତନ ସାଂସଦ ରବିନାରାୟଣ ମହାପାତ୍ର, ଆଲୁମିନି କମିଟି ଆବାହକ ବିଶ୍ୱନାଥ ମହାପାତ୍ର, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡା.ସୁରେଶ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦାନ କରି ନିଜ ଛାତ୍ରଜୀବନର ସ୍ମୃତିଚାରଣ କରିବା ସହିତ ମହାବିଦ୍ୟାଳୟ ଗଠନରେ ପୂର୍ବସୂରୀମାନଙ୍କ ଭୂମିକା ସମ୍ପର୍କରେ ବିସ୍ତୃତଭାବେ ବର୍ଣ୍ଣନା କରିଥିଲେ । ଆଗାମୀ ଦିନରେ ଏହି ମହାବିଦ୍ୟାଳୟ ସମଗ୍ର ଓଡ଼ିଶାରେ ସର୍ବଶ୍ରେଷ୍ଠ ମହାବିଦ୍ୟାଳୟ ଭାବେ ପରିଗଣିତ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଭା ପ୍ରାରମ୍ଭରେ ଜଷ୍ଟିସ ଡ.ଷଢ଼ଙ୍ଗୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତୀରେ ଧୂପ ପୁଷ୍ପ ଅର୍ପଣ କରି ହୀରକ ଜୟନ୍ତୀ କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମହାବିଦ୍ୟାଳୟର ପ୍ରଥମ ବ୍ୟାଚର ଜୀବିତଥିବା ୨୯ଜଣ ଛାତ୍ରଛାତ୍ରୀଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଏହି ମହାବିଦ୍ୟାଳୟରୁ ବଦଳି କିମ୍ବା ଅବସର ଗ୍ରହଣ କରିଥିବା ତଥା ୭୫ବର୍ଷରୁ ଉର୍ଦ୍ଧ୍ୱ ୧୮ଜଣ ଅଧ୍ୟାପକ ଏବଂ ୧୩ଜଣ ଅଣ ଶିକ୍ଷକ କର୍ମଚାରୀଙ୍କୁ ମଧ୍ୟ ଅନୁରୂପଭାବେ ସମ୍ବର୍ଦ୍ଧିତ କରିଥିଲେ । ସଭାକାର୍ଯ୍ୟ ପରିଚାଳନାରେ ଅଧ୍ୟାପକ ଡ.ଆଶୁତୋଷ ମିଶ୍ର ଏବଂ ଅଧ୍ୟାପକ ଗଣେଶ ମିଶ୍ର ସହଯୋଗ କରିଥିବା ବେଳେ ପୂରାତନ ଛାତ୍ର ତଥା ପୂର୍ବତନ ସାଂସଦ ରବିନାରାୟଣ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ସଭାରମ୍ଭ ପୂର୍ବରୁ ଅତିଥିମାନେ ମହାବିଦ୍ୟାଳୟ ପରିସର ବୁଲିବା ସହିତ ନିଜେ ପାଠପଢ଼ୁଥିବା ବିଭାଗକୁ ଯାଇ କିଛି ସମୟ ଅତିବାହୀତ କରବା ସହିତ ସବିଶେଷ ତଥ୍ୟ ସଂଗ୍ରହ କରୁଥିବା ଦେଖା ଯାଇଥିଲା । ଆଜିର ଏହି ଉଦଘାଟନୀ ସମାରୋହରେ ୩ ହଜାରରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିବା ବିଭିନ୍ନ ବିଭାଗ ପକ୍ଷରୁ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆସନ୍ତା ନଭେମ୍ବର ମାସରେ ୫ ଦିନବ୍ୟାପୀ ଜୟନ୍ତୀ ଉତ୍ସବ ଧୂମଧାମରେ ପାଳିତ ହେବ ବୋଲି ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

20 − 20 =