ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମନୋରମାଙ୍କ ଶେଷକୃତ୍ୟ ସମ୍ପନ୍ନ

0 104

ପୁରୀ: ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍‌ ତଥା ସମାଜର ପୂର୍ବତନ ସମ୍ପାଦିକା ଡ. ମନୋରମା ମହାପାତ୍ରଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମନୋରମାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଅନ୍ତିମ ଯାତ୍ରାରେ ଲୋକସେବକ ମଣ୍ଡଳର ବହୁ ବରିଷ୍ଠ ସଦସ୍ୟଙ୍କ ସମେତ ସମାଜର କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ଗହଣରେ ମନୋରମାଙ୍କ ପାର୍ଥୀବ ଶରୀର ପଞ୍ଚଭୂତରେ ଲୀନ ହୋଇଥିଲା । ଜ୍ୟେଷ୍ଠ ପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଶେଷ ସମ୍ମାନ ଜଣାଇଥିଲେ । ଏହି ଅବସରରେ ସ୍ୱର୍ଗତା ମହାପାତ୍ରଙ୍କ ଝିଅ ସୁଚିସ୍ମିତା ମିଶ୍ର, ଜାମାତା ଅରୁଣ ମିଶ୍ର, ଶ୍ରୀମତୀ ଶୈଳରାଣୀ ମିଶ୍ର, ବଦ୍ରି ମିଶ୍ର, ଶ୍ୟାମ ପ୍ରକାଶ ସେନାପତି, ଜ୍ଞାତି କୁଟୁମ୍ବ ଏବଂ ବିଶିଷ୍ଠ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ, ଗତକାଲି ବାର୍ଦ୍ଧକ୍ୟ ଜନିତ କଷ୍ଟ ଭୋଗୁଥିବା ମନୋରମାଙ୍କ ଛାତିରେ ହଠାତ୍‌ ଯନ୍ତ୍ରଣା ହୋଇଥିଲା । ଚିକିତ୍ସା ପାଇଁ ତାଙ୍କୁ ଅପରାହ୍ନରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତରଙ୍କ ଚେଷ୍ଟା (୮୭) ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ । ପ୍ରକାଶ ଯେ, ମନୋରମା ୧୯୩୪ ମସିହା ଜୁନ୍‌ ୧୦ ତାରିଖରେ ଆଠଗଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପା ରାଧାନାଥ ରଥଙ୍କ ପ୍ରେରଣାରେ ସେ ଅନୁପ୍ରାଣିତ ହୋଇ ପିଲାଦିନୁ ମେଧାବୀ ଛାତ୍ରୀ ଭାବେ ପରିଗଣିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଅର୍ଥନୀତି ସହିତ ସାହିତ୍ୟ ସଂସ୍କୃତି ଅନୁରାଗୀ ହେବା ସହିତ ସମାଜସେବାରେ ବ୍ରତିଥିଲେ । ତାଙ୍କ ପିତା ସ୍ୱର୍ଗୀୟ ରାଧାନାଥଙ୍କ ନିଧନ ପରେ ସେ ୧୯୯୮ ମସିହାରେ ସମାଜର ସମ୍ପାଦକ ଦାୟିତ୍ୱ ନେଇଥିଲେ । ଜୀବନ କାଳ ମଧ୍ୟରେ ସେ ୪୦ରୁ ଅଧିକ ଗଳ୍ପ, କବିତା ସଂକଳନ ସୃଷ୍ଟି କରି ସାରସ୍ୱତ ସାଧନା ପାଇଁ ୧୯୬୭ରେ ଝଙ୍କାର ପୁରସ୍କାର, ୧୯୮୪ରେ ସାହିତ୍ୟ ଏକାଡେମୀ, ୧୯୮୮ରେ ସୋଭିଏତ୍‌ ନେହୁରୁ ଆୱାର୍ଡ, ୧୯୮୪ରେ ସାରଳା ପୁରସ୍କାର ସାହିତ ବହୁ ପୁରସ୍କାରର ଅଧିକାରିଣୀ ହୋଇଥିଲେ । ସେ ଜଣେ ସୁବକ୍ତା ଭାବେ ସମାଜରେ ନାମ ଅର୍ଜନ କରିବା ସହିତ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚଅଦର୍ଶ ବଜାୟ ରଖିଥିଲେ । ଲୋକ ସେବକ ମଣ୍ଡଳର ସଦସ୍ୟ ଭାବେ ସେ ସର୍ବଭାରତୀୟ ସ୍ତରରେ ପରିଚିତ ହୋଇ ରାଜ୍ୟର ଗୌରବ ବଢାଇଥିଲେ । ତାଙ୍କର ମୃତ୍ୟୁ ର୍ପୂବରୁ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

eighteen + sixteen =