କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

0 317

ବାଲିଗୁଡ଼ା,୬/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବିଭାଗକୁ ମିଳିଛି ବଡ଼ ସଫଳତା । ଛଦ୍ମବେଶରେ ଗ୍ରାହକ ସାଜି ବାଘ ଛାଲ ବେପାରିକୁ ମାଡ଼ିବସିଲା ବନବିଭାଗ । ବାଲିଗୁଡ଼ା ବନଖଣ୍ଡ କ.ନୁଆଗାଁ ବନାଞ୍ଚଳର ସିର୍ତ୍ତିଗୁଡ଼ାରେ ଏସ୍‌ ଟିଏଫ୍‌ ଓ ବନବିଭାଗର ମିଳିତ ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘ ଛାଲ ଜବତକରିବା ସହିତ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଜଣକ ସିର୍ତ୍ତିଗୁଡ଼ା ଗ୍ରାମର ବିଦ୍ୟାଧର ନାୟକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ସିର୍ତ୍ତିଗୁଡ଼ା ଅଞ୍ଚଳରେ ଜଣେ ବ୍ୟକ୍ତି ବାଘ ଛାଲ ବିକ୍ରି କରିବାକୁ ଯୋଜନା କରୁଥିବା ଏକ ବିଶ୍ୱସ୍ତ ଖବର ପାଇଥିଲା ବନବିଭାଗ । ବାଲିଗୁଡ଼ା ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ବ୍ୟକ୍ତି ବିଷୟରେ ତଥ୍ୟ ସଂଗ୍ରହ କରି ଜଣେ ବନ କର୍ମଚାରୀଙ୍କୁ ଛଦ୍ମବେଶରେ ଗ୍ରାହକ ଭାବରେ ଯୁବକଙ୍କ ନିକଟକୁ ପଠାଯାଇଥିଲା । ମୁଲଚାଲ ଚାଲିଥିବା ସମୟରେ ଏସ୍‌ ଟିଏଫ୍‌ ଟିମ୍‌ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରି ବିଦ୍ୟାଧରକୁ କାବୁ କରିବା ସହ ଆଠ ଫୁଟର ଏକ କଲରାପତରିଆ ବାଘ ଛାଲ ଜବତ କରିଛି ବିଭାଗ । ବାଲିଗୁଡ଼ା ବନଖଖଣ୍ଡ କାର୍ଯ୍ୟାଳୟରେ ବିଦ୍ୟାଧରକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ବନବିଭାଗ । ଅନ୍ୟପଟେ ତଦନ୍ତ ପରେ ଏହି ରାକେଟ୍‌ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଜଣାପଡ଼ିବ ଏବଂ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି କହିଛନ୍ତି ବାଲିଗୁଡ଼ା ଏସିଓଏଫ୍‌ । ଏହି ଚଢ଼ାଉରେ ଏସିଓଏଫ୍‌ ଡ.ରୂଦ୍ରପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଉଦିତ୍‌ ପ୍ରଧାନ, ଫରେଷ୍ଟର ସରୋଜ ମଙ୍ଗରାଜ, ବୁଦ୍ଧଦେବ କହଁର,ଦାଶରଥୀ ପଣ୍ଡାଙ୍କ ସମେତ ଅନ୍ୟ ବନ କର୍ମଚାରୀ ସାମିଲ୍‌ ଥିଲେ ।

hiranchal ad1
Leave A Reply

Your email address will not be published.

16 − 6 =