ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ବଢିଲା ରାଜ୍ୟ କର୍ମଚାରୀଙ୍କ ମହଙ୍ଗାଭତ୍ତା

0 449

ଭୁବନେଶ୍ୱର,୮/୧୦- ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ ଡିଅରନେସ ରିଲିଫ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍‌ ଭୋଗୀ ଉପକାର ପାଇବେ । ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ,୨୮%ରେ ପହଞ୍ଚିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧/୭/୨୦୨୧ ରୁ ପିଛିଲା ଭାବରେ ୧୧%ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁମିଳିବ । ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ ।ସେହିପରି ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି ।ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କୁ ଜିଆଇଏସ ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୫୪୦୦ ଓ ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ଜିଆଇଏସ ବାବଦ ଦେୟକୁ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । କର୍ମଚାରୀ ମାନଙ୍କ ପାଇଁ ଜିଆଇଏସ ଏକ ସାମାଜିକ ସୁରକ୍ଷା ଯୋଜନା । ଚାକିରୀରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ଦେଢ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ମୃତ୍ୟୁରେ ଅଢେଇ ଲକ୍ଷ ଟଙ୍କା ସହାୟତା ମିଳୁଥିଲା । ବର୍ତ୍ତମାନ ଏହି ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବସେହିପରି ଅନ୍ତେଷ୍ଟିକ୍ରୀୟା ପାଇଁ ସହାୟତା ରାଶିର ପରିମାଣ ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଜିଆଇଏସ ଦେୟ ପୂର୍ବପରି ୧୦ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ ନିଆଯିବ ।

hiranchal ad1
Leave A Reply

Your email address will not be published.

nineteen − 7 =