କୋଣାର୍କ : କୋଣାର୍କ ଥାନା ଅଧୀନସ୍ଥ ସିମିଳି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପାଣିଘେରରେ ରହିଥିବା ପ୍ରପୀଡିତ ଓ ଅସହାୟ ବ୍ୟକ୍ତିମାନଙ୍କୁ ରିଲିଫ ବଣ୍ଟନ କରାଯାଇଛି । ସିମିଳି ଗ୍ରାମପଞ୍ଚାୟତ ବିଜେଡି ସଭାପତି ବାନାମ୍ବର ବେହେରାଙ୍କ ନେତୃତ୍ୱରେ ଗ୍ରାମପଞ୍ଚାୟତର ମାଟିଆପଡ଼ା, ନୂଆଗାଁର କଦଳୀବାରି, ଅନସରାର ରାମକାଣ୍ଡୀ ସାହି, ଶିରିପୁର, ସିମିଳି ସମେତ ବିଭିନ୍ନ ଗ୍ରାମରେ ଜଳବନ୍ଦୀ ଥିବା ୫୦୦ ଅସହାୟ ପରିବାରଙ୍କୁ ଚୁଡା, ଗୁଡ, ବିସ୍କୁଟ, ମହମବତୀ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସିମିଳି ଗ୍ରାମପଞ୍ଚାୟତର ଯୁବନେତା ବିଜୟ କୁମାର ସେଠ, ଶଙ୍କର ବିଶ୍ୱାଳ, ଲକ୍ଷ୍ମୀଧର ସାହୁ, ପୂର୍ଣ୍ଣଚନ୍ଦ୍ର ଲେଙ୍କା, କାହ୍ନୁଚରଣ ମହାନ୍ତି, ଜୟଦେବ ରାଉତରାୟ, ଲକ୍ଷ୍ମୀକାନ୍ତ କାଣ୍ଡି, ସ୍ୱରାଜ ମହାନ୍ତି, ଯୁବ ବିଜେଡ଼ି ସଭାପତି ଆଲୋକ ସେଠ ପ୍ରମୁଖ ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପାଣି ଘେରରେ ଥିବା ବିପନ୍ନ ମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ସହ ଆଗାମୀ ଦିନରେ ଅଧିକ ସରକାରୀ ସହାୟତା ପ୍ରଦାନ ପାଇଁ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲାପାଳଙ୍କ ସମେତ ଗୋପ ବ୍ଳକ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ସିମିଳି ଗ୍ରାମପଞ୍ଚାୟତର ବିଜେଡି ଯୁବନେତା ବିଜୟ କୁମାର ସେଠ ପ୍ରକାଶ କରିଛନ୍ତି ।