ବୌଦ୍ଧରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

0 155

ବୌଦ୍ଧ, ୧/୧୨- ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ବିଶ୍ୱ ଏଡ୍‌ସ ଦିବସ-୨୦୨୧ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞାପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀ, ଏଏନ୍‌ଏମ୍‌ ତାଲିମ୍‌ କେନ୍ଦ୍ରର ଛାତ୍ରୀମାନେ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ଏଡ୍‌ସ ରୋଗୀଙ୍କ ପ୍ରତି ସାଧାରଣରେ ସୁମନୋଭାବ ପୋଷଣ କରିବାପାଇଁ ଆହ୍ୱାନ କରିଥିଲେ । ଜିଲ୍ଲା ସମନ୍ୱିତ ପରୀକ୍ଷା ଓ ପରାମର୍ଶ କେନ୍ଦ୍ରର ଅଧିକାରୀ ଡା. ମଳୟ କୁମାର ସାହୁ ଜିଲ୍ଲାରେ ଏଡ୍‌ସର ସ୍ଥିତି ଉପରେ ବକ୍ତବ୍ୟ ରଖିଥିଲେ । ୨୦୦୮ ମସିହା ଠାରୁ ଅଦ୍ୟାବଧି ବୌଦ୍ଧ ଜିଲ୍ଲାରେ ମୋଟ ୫୬ ଜଣ ଏଡ୍‌ସ ରୋଗୀଙ୍କୁ ଚିହ୍ନଟ କରାଯାଇଅଛି । ସେଥିମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିବାବେଳେ ଅନ୍ୟ ୪୬ ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିୟମିତ ଚିକିତ୍ସା ଓ ଓøଷଧ ପ୍ରଦାନ କରାଯାଉଅଛି । ଜିଲ୍ଲାର ୪୬ ଜଣ ରୋଗୀଙ୍କ ମଧ୍ୟରୁ ୩୩ ଜଣ ପୁରୁଷ, ୨୩ ଜଣ ମହିଳା ଅଛନ୍ତି ଓ ସେଥିମଧ୍ୟରୁ ୨ ଜଣ ଗର୍ଭବତୀ ତଥା ୬ ଜଣ ପ୍ରସୂତି ବୋଲି ଜଣାପଡ଼ିଛି । ତୃଣମୂଳ ସ୍ତରରେ ଏଡ୍‌ସ ରୋଗ ପ୍ରତି ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ତାଲିମ୍‌ ପ୍ରଦାନ କରାଯାଇଛି । ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍‌ ଗ୍ରାମାଂଚଳରେ ପ୍ରତ୍ୟେକ ସ୍ଥିରିକୃତ ମମତା ଦିବସ ଗୁଡ଼ିକରେ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ସମସ୍ତ ଗର୍ଭବତୀ ମହିଳାଙ୍କ ଏଚ୍‌ଆଇଭି ପରୀକ୍ଷା କରାଯାଉଥିବାର ସୂଚନା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ ସମସ୍ତ ଯକ୍ଷ୍ମାରୋଗୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ବାଧ୍ୟତାମୂଳକ ଭାବେ ଏଚ୍‌ଆଇଭି ପରୀକ୍ଷା କରିବା ନିମନ୍ତେ ବ୍ୟବସ୍ଥା କରାଯାଇଅଛି ବୋଲି ଜଣାଇଥିଲେ । ଜିଲ୍ଲା ସମନ୍ୱିତ ପରୀକ୍ଷା କେନ୍ଦ୍ରର ପରାମର୍ଶଦାତା ବନୋଜ କୁମାର ପ୍ରଧାନ ଏଡ୍‌ସ ରୋଗୀଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ସୁବିଧା ଯଥା, ମଧୁବାବୁ ପେନସନ୍‌, ବିଜୁ ପକ୍କାଘର, ମୋ କୁଡ଼ିଆ, ଜାତୀୟ ପରିବାର କଲ୍ୟାଣ ଆଦି ଯୋଜନାରେ ସହାୟତା ପ୍ରଦାନ କରାଯାଉଥିବାର ସୂଚନା ଦେଇଥିଲେ । ଏଚ୍‌ ଆଇଭି ଓ ଏଡ୍‌ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପ୍ରତି ସହଯୋଗ ଓ ଏ ନେଇ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚଳିତ ଡିସେମ୍ବର ୧ ତାରିଖରୁ ୧୫ ଦିନ ଧରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ କଲେଜ ଗୁଡ଼ିକରେ ସାଧାରଣ ସଭା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ତର୍କ, ପ୍ରବନ୍ଧ ଲିଖନ ଆଦି ପ୍ରତିଯୋଗିତା କରାଯିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର, ଡିପିଏମ୍‌ ରୂପକ ମହାପାତ୍ର, ଜିଲ୍ଲା ସମନ୍ୱିତ ପରୀକ୍ଷା ଓ ପରାମର୍ଶ କେନ୍ଦ୍ର ବୌଦ୍ଧ ଓ ମନମୁଣ୍ଡାର ପରାମର୍ଶଦାତା ଗୀତାଂଜଳି ସାହୁ, ମୀନାକ୍ଷୀ ସ୍ୱାଇଁ, ଅହନାର ଜିଲ୍ଲା ସଂଯୋଜକ ସମୀର ମହାକୁଡ଼, ଜିଲ୍ଲାର ଅନେକ ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ତଥା ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

6 − one =