୭୬ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

0 371

ବୌଦ୍ଧ,୧୦/୮- ୭୬ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ ପରି ଚଳିତବର୍ଷ ମଧ୍ୟ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଭାରପ୍ରାପ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କରୋନା କଟକଣାରେ ସ୍ୱାଧୀନତା ଦିବସ ପାଳନ ବିଷୟରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ କୋଭିଡ ନିୟମାବଳୀ ଅନୁଯାୟୀ ସୀମିତ ଅଧିକାରୀ, ସମସ୍ତ ବର୍ଗରୁ ୧୦ ଜଣ ଲେଖାଏଁ କରୋନା ଯୋଦ୍ଧା, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥାନୀୟ କଚେରୀ ପଡିଆଠାରେ ଅନୁଷ୍ଠିତ ହେବ । ଏଥିରେ କେବଳ ପୋଲିସ ବାହିନୀ ଅଂଶଗ୍ରହଣ କରିବେ । କୌଣସି ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ନାହିଁ । ସେହିପରି ଉତ୍ସବସ୍ଥଳରେ ଜନସମାଗମଙ୍କୁ ମଧ୍ୟ ସଂପୂର୍ଣ୍ଣରୂପେ ବାରଣ କରାଯାଇଛି । କେବଳ ସୀମିତ ସଂଖ୍ୟକ କୋଭିଡ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯିବ । ସକାଳ ଘ.୯.୧୫ମି ସମୟରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ରାତଃ ଘ.୪.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାମଧୂନ, ସକାଳ ୭ ଘଟିକା ସମୟରେ ସମସ୍ତ ସରକାରୀ ଅଫିସ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ୭.୪୫ମି ସମୟରେ ବୌଦ୍ଧ ସହରର ବିଭିନ୍ନ ଛକରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ତା ୧୧ ରିଖ ଠାରୁ ତା.୧୩ ରିଖ (୩ ଦିନ) ସକାଳ ୮ ଘଟିକା ସମୟରେ ପୋଲିସ ବାହିନୀ ଦ୍ୱାରା କଚେରୀ ପଡିଆଠାରେ ପ୍ୟାରେଡ ପୁର୍ବାଭ୍ୟାସ କରାଯିବ । ସେହିପରି ଜିଲ୍ଲାର ସମସ୍ତ ବ୍ଲକ ଏବଂ ପଞ୍ଚାୟତରେ ଉକ୍ତ ଦିନ କୋଭିଡ କଟକଣାରେ ସକାଳ ୭ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ବନବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବ । ୧୩ରୁ ୧୫ରିଖ ପର୍ଯ୍ୟନ୍ତ ବ୍ଲଡ ବ୍ୟାଙ୍କ ଠାରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲା ରେଡକ୍ରସ ପକ୍ଷରୁ ୧୫ ତାରିଖ ଦିନ ରକ୍ତ ଦାନରେ ସାମିଲ ହେବାପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରାଯାଇ ଅଗଷ୍ଟ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ, କାର୍ଯ୍ୟାଳୟମାନଙ୍କରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ବୈଠକରେ ସ୍ଥିର କରାଗଲା । ଏଥି ସହିତ ତ୍ରିରଙ୍ଗା ଶୋଭାଯାତ୍ରା ପରିଚାଳନା କମିଟି ଦ୍ୱାରା ୭୫ ମିଟର ଜାତୀୟ ପତାକା ଶୋଭାଯାତ୍ରା ରାମ ମନ୍ଦିରରୁ ବାହାରି ବସଷ୍ଟାଣ୍ଡ, ଏନଏସି ଛକ ଦେଇ କଚେରୀ ପଡିଆ ସମ୍ମୁଖରେ ସକାଳ ୯ ଟା ସମୟରେ ପହଞ୍ଚିବ । ଏହିଦିନ ପ୍ରତ୍ୟେକ କାର୍ଯ୍ୟାଳୟ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଏହି ଦିବସ ଉପଲକ୍ଷେ ବୌଦ୍ଧ ଜିଲ୍ଲାର ୫ଟି ସ୍ଥାନରେ ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ଡିପିଏଚଓ ଡଃ. ମଦନ ମୋହନ ପ୍ରଧାନ, ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନାଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ ସ୍ୱାଗତ ଭାଷଣ ସହ ସଭା ସଂଯୋଜନା କରିଥିଲେ ଏବଂ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୂ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 3 =