ବୌଦ୍ଧ,୭/୧୦- ଗତକାଲି ମଧ୍ୟରାତ୍ରୀରେ ମାଳିସାହି ଦୁର୍ଗାପୂଜା କମିଟି ତରଫରୁ ଦୁର୍ଗାମଣ୍ଡପରେ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ନବରାତ୍ର ନିମନ୍ତେ ଗତକାଲି ଅପରାହ୍ନ ପ୍ରାୟ ସାଢେ ୪ଟାରେ ବିଲ୍ୱବରଣ, ସନ୍ଧ୍ୟାରେ ମହାନଦୀରୁ କଳସରେ ଜଳ ଆଣି ଦେବୀଙ୍କ ପୀଠରେ ସ୍ଥାପନା କରାଯାଇଥିଲା । ଏହାପରେ ବିଳମ୍ବିତ ରାତ୍ରୀରେ ଦେବୀଙ୍କୁ ରୀତିନୀତି ଅନୁଯାୟୀ ଭୃଙ୍ଗାରୀ ସ୍ନାନ, କଳମାଧି ବାସ, ଦେବ୍ୟାଧି ବାସ, ଚକ୍ଷୁଦାନ କରାଯାଇ ପୂଜା ଆରମ୍ଭ ହୋଇଥିଲା । ପୂଜକ ଭାବେ ପଣ୍ଡିତ ଅଙ୍ଗିରା ମିଶ୍ର ଶର୍ମା ପୂଜା କାର୍ଯ୍ୟ କରିଥିବାବେଳେ କର୍ତ୍ତାଭାବେ ରାମନାଥ ଯୁବ ସଂସଦ ସଭ୍ୟ ସୂର୍ଯ୍ୟେନ୍ଦ୍ର କୁମାର ଶତପଥୀ ଦାୟିତ୍ୱ ତୁଲାଇଥିଲେ । କୋଭିଡ ନିୟମକୁ ପାଳନ କରାଯାଇ କମସଂଖ୍ୟକ ଆୟୋଜକ ଓ ଶ୍ରଦ୍ଧାଳୁଙ୍କୁ ନେଇ ଏହି ପୂଜା କରାଯାଉଛି । ମାଳିସାହି ଦୁର୍ଗାପୂଜା କମିଟିର ସଭାପତି ଶ୍ୟାମସୁନ୍ଦର ବାରିକ, ସଂପାଦକ ସୁଦର୍ଶନ ନାଏକଙ୍କ ସମେତ ସମସ୍ତ ସଭ୍ୟ ପୂଜାରେ ସହଯୋଗ କରୁଛନ୍ତି । ପ୍ରତିଦିନ ମା ବିମାନରେ ବୌଦ୍ଧସହରର ବିଭିନ୍ନ ସାହି ପରିକ୍ରମା କରିବାର ବିଧି ରହିଥିଲେ ମଧ୍ୟ ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଏହି କାର୍ଯ୍ୟ ବନ୍ଦକରାଯାଇଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।