ବୌଦ୍ଧରେ ଶ୍ରୀରାମଲୀଳା ଯାତ୍ରା ମହାଆଡମ୍ବରରେ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ,ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ସହ ଆୟୋଜିତ ହେବ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

0 736

ବୌଦ୍ଧ,୬ା୪ : କରୋନା କଟକଣା ହଟିବା ପରେ ଦୁଇବର୍ଷ ହେଲା ବନ୍ଦ ରହିଥିବା ବୌଦ୍ଧର ଐତିହାସିକ ରାମଲୀଳା ଯାତ୍ରା ଚଳିତବର୍ଷ ମହାଆଡମ୍ବରରେ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପ୍ରେଲ ୧୦ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୧୮ ଦିନ ଧରି ହେବାକୁଥିବା ବୌଦ୍ଧର ଏହି ଗଣପର୍ବକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆହ୍ୱାନ ଜଣାଇବା ସହିତ ଏନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ନୃତ୍ୟ ସଙ୍ଗୀତ ସହିତ ରାମଳୀଲା ଯାତ୍ରାକୁ ନୂଆରୂପ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଯାତ୍ରାରେ ଅଧିକ ସଂଖ୍ୟାରେ ଲୋକଙ୍କୁ ସାମିଲ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ପବିତ୍ର ରାମନବମୀଠାରୁ ଏହି ଯାତ୍ରା ବୌଦ୍ଧର ଐତିହାସିକ ରାମଲୀଳା ପଡିଆରେ ଆରମ୍ଭ ହେବାକୁ ଯାଉଥିବାବେଳେ ଯାତ୍ରାର ବିଭିନ୍ନ କଥାବସ୍ତୁକୁ ବିଭିନ୍ନ ସାହିରେ ଆୟୋଜନ କରାଯିବା ସହିତ ପଥପ୍ରାନ୍ତ ନାଟକ, ଶୋଭାଯାତ୍ରା, ସୁଦୃଶ୍ୟ ତୋରଣ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସାହିବାସିନ୍ଦା, ମାର୍କେଟ କମିଟି, ସ୍ୱେଚ୍ଛାସେବୀ ଯୁବକସଂଘମାନଙ୍କୁ ଯାତ୍ରା ସହିିତ ସାମିଲ କରାଯିବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି । ଯାତ୍ରାର ଶେଷ ୫ ଦିନ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ବୌଦ୍ଧ କଚେରୀ ପଡିଆଠାରେ ପଲ୍ଳଶ୍ରୀ ମେଳା ସହିତ ପୁସ୍ତକ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଲ୍ଲିଶ୍ରୀମେଳା ପାଇଁ ୧୦୦ ଗୋଟି ଷ୍ଟଲ ଓ ପୁସ୍ତକ ମେଳା ପାଇଁ ୩୦ରୁ ଅଧିକ ଷ୍ଟଲ ଏହି ପରି ସର୍ବମୋଟ ୧୩୦ରୁ ଅଧିକ ଷ୍ଟଲ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଯାତ୍ରାରେ ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ଷ୍ଟାଡିୟମଠାରେ ରାମ ରାବଣ ସମର ଆୟୋଜନ ସହ ଆକର୍ଷଣୀୟ ଆତସବାଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଓରମାସ ଅଧିକାରୀ ଫ୍ରାନସିସ ବାର୍ଲା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ଆୟୋଜନ କରାଯିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ,ଏପିଡି ଫାଇନାନସ ଅମିତ କୁମାର ପାଣି ଓ ଏପିଡି ଟ୍ରେନିଙ୍ଗ ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡାଙ୍କ ସମେତ ରାମଲୀଳା ନାଟ୍ୟ ସଂସଦର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen − seven =