ବୌଦ୍ଧ,୨୩/୧୧– ଗତକାଲି ବଜ୍ରାଘାତରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଝାରଖଣ୍ଡ ପାଲାମୁ ଜିଲ୍ଲାର ଦେବନନ୍ଦନ କୁମାର ନାମକ ଜଣେ ୨୧ ବର୍ଷୀୟ ଯୁବକ ବୌଦ୍ଧରେ ଠିକା କାମକରୁଥିବା ଏଆରଏସ୍ଏସ୍ ନିର୍ମାଣ କଂପାନୀରେ କାମ କରୁଥିଲେ । ଗତକାଲି ଅପରାହ୍ନରେ କଂପାନୀର ହରଭଙ୍ଗା ବ୍ଲକର ଚଂପାପୁର କ୍ୟାଂପରେ ଯୁବକ ଜଣକ କାର୍ଯ୍ୟରତ ଥିବାବେଳେ ହଠାତ୍ ବର୍ଷା ହେବାରୁ ଗୋଟିଏ ଜେସିବି ମେସିନ ଭିତରେ ରହିଯାଇଥିଲେ । କିଛି ସମୟ ପରେ ଯୁବକ ଜଣକ ମେସିନରୁ ବାହାରି ଯାଉଥିବା ସମୟରେ ତାଙ୍କୁ ବଜ୍ରାଘାତ ହୋଇଥିଲା ।ତ୍ତବଜ୍ରାଘାତରେ ସେ ଗୁରୁତର ହୋଇପଡିଥିଲେ । ତତ୍କ୍ଷଣାତ ତାଙ୍କୁ ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣକ ପ୍ରାୟ ଏକ ସପ୍ତାହ ପୂର୍ବରୁ ଝାରଖଣ୍ଡରୁ ସେଣ୍ଟ୍ରିଂ କାମ କରିବାକୁ ବୌଦ୍ଧକୁ ଆସିଥିଲେ । କିନ୍ତୁ ନିୟତି କିଛି ଅଲଗା ଥିଲା । ଆଜି ଶବ ବ୍ୟବଚ୍ଛେଦ ହେବାପରେ ସଂପୃକ୍ତ ଠିକା କଂପାନୀ ଏକ ଆମ୍ବୁଲାନସ ଯୋଗେ ମୃତ ଶରୀରକୁ ତାଙ୍କ ଗାଁ ପର୍ଯ୍ୟନ୍ତ ଛାଡିବା ବ୍ୟବସ୍ଥା କରିବାସହ ୧୫ହଜାର ଟଙ୍କା ତତ୍କ୍ଷଣାତ ଆର୍ଥିକ ସହାୟତା ଦେଇଥିବା ଜଣାପଡିଛି ।