ବୌଦ୍ଧ ଜିଲ୍ଲାରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ

0 264

ବୌଦ୍ଧ,୧/୧୧- ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ଡ୍ରାଫ୍ଟ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ଏହି ସଭାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତା ଉପସ୍ଥିତ ଥିଲେ । ଏହି ସଭାରେ ଚଳିତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୨ କିଭଳି ଭାବରେ ସଫଳତା ସହ ଅନୁଷ୍ଠିତ ହେବ ଏବଂ ବହୁମାତ୍ରାରେ ଭୋଟର ପଞ୍ଜିକରଣ ହୋଇପାରିବ, ଯେମିତି ୧୮ ବର୍ଷ ବୟସ ବ୍ୟକ୍ତି ବିଶେଷ କେହିବି ଭୋଟର ହେବାରୁ ବଞ୍ଚିତ ନହୁଅନ୍ତି ସେ ଉପରେ ବିଶେଷ ଧ୍ୟାନ ଦେବାକୁ ଉପ-ଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ଅଶ୍ୱିନୀ କୁମାର ମେହେର ବିସ୍ତୃତ ଭାବରେ ବୁଝାଇଥିଲେ ଏବଂ ଭୋଟର ତାଲିକାରେ ନୂତନ ଭୋଟର ପଞ୍ଜିକରଣ ତଥା ଠିକଣା ପରିବର୍ତ୍ତନ କରିବା ନିମନ୍ତେ ନିଜର ବୁଥସ୍ତରୀୟ ଅଧିକାରୀ କିମ୍ବା ଭୋଟର ପଞ୍ଜିକରଣ କାର୍ଯ୍ୟାଳୟରେ ତା ୦୧.୧୧.୨୦୨୧ ଠାରୁ ୩୦.୧୧.୨୦୨୧ ପର୍ଯ୍ୟନ୍ତ ଯୋଗାଯୋଗ କରିବାକୁ ସୂଚନା ଦେଇଥିଲେ । ଚଳିତ ବର୍ଷ ଭୋଟର ମାନଙ୍କ ସୁବିଧା ନିମନ୍ତେ ଭୋଟର ହେଲ୍ପଲାଇନ ଆପ ପ୍ରଚଳିତ କରାଯାଇଅଛି । ଏହି ଆପ ଦ୍ୱାରା ସାଧାରଣ ଜନତା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ, ସଂଶୋଧନ, ସ୍ଥାନାନ୍ତର ଅଥବା ନୂତନ ଭୋଟର ଭାବରେ ଆବେଦନ କରି ପାରିବେ । ଜନ ସାଧାରଣଙ୍କ ସୁବିଧା ନିମନ୍ତେ ଏହି ବର୍ଷ ଆସନ୍ତା ୦୭.୧୧.୨୦୨୧ (ରବିବାର) ଏବଂ ୨୧.୧୧.୨୦୨୧ (ରବିବାର)କୁ ସ୍ୱତନ୍ତ୍ର ପ୍ରଚାର ଦିବସ ରୂପେ ପାଳନ କରାଯିବ । ଏହି ଦିନରେ ଆପଣଙ୍କ ବୁଥସ୍ତରୀୟ ଅଧିକାରୀ ଆପଣଙ୍କ ଆବେଦନ ଗ୍ରହଣ କରିବା ପାଇଁ ବୁଥରେ ଉପସ୍ଥିତ ରହିବେ । ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି , ରାଜ କୁମାର ମେହେର, ବ୍ୟୋମକେଶ ମହାପାତ୍ର ଏବଂ ବିଜୁ ଜନତା ଦଳରୁ ଶୀତାଂଶୁ ଶେଖର ମହାକୁଳ ଉପସ୍ଥିତ ଥିଲେ । ସମସ୍ତ ବୁଥରେ ବୁଥସ୍ତରୀୟ ପ୍ରତିନିଧି ନିଯୁକ୍ତ କରିବାପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ଭୋଟର ପଞ୍ଜିକରଣ ଅଧିକାରୀ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନତ କୁମାର ନାୟକ, ତହସିଲଦାର, ତଥା ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀ, ବୌଦ୍ଧ ଉପ ବିଭାଗ ଅଧିକାରୀ ରାଜଗୋପାଳ ମହାପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା ଏବଂ କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

9 − two =