ବୌଦ୍ଧ,୩୦/୩- ସ୍ଥାନୀୟ ଟାଉନ୍ହଲ୍ଠାରେ ଆଜି ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ଅଭୟ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରି ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ପହଂଚାଇବାରେ ଆଶାକର୍ମୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା କୋଭିଡ୍ ମହାମାରୀର ମୁକାବିଲା କରିବା କ୍ଷେତ୍ରରେ ଆଶାକର୍ମୀଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ମତବ୍ୟକ୍ତ କରିଥିଲେ । ଚଳିତବର୍ଷ ନିମନ୍ତେ ଶ୍ରେଷ୍ଠ ଆଶା ଭାବେ ବୌଦ୍ଧ ବ୍ଲକର ଚନ୍ଦ୍ରମା ମେହେର, ହରଭଙ୍ଗା ବ୍ଲକର ନିଶାବତୀ ଦେହୁରୀ, କଂଟାମାଳ ବ୍ଲକର ରୀତା ପ୍ରଧାନଙ୍କୁ, ସୁସ୍ଥ ଗାଁ ରୂପେ ବୌଦ୍ଧର ଗୋଚ୍ଛାପଡ଼ା, ହରଭଙ୍ଗାର କୃଷ୍ଣପାଲି, କଂଟାମାଳର ଶିଆଳିଝୁଲି ତଥା ସୁସ୍ଥ ପଂଚାୟତ ଭାବେ ଯଥାକ୍ରମେ ଶଗଡ଼ା, ବନ୍ଧାପଥର ଓ ଯୋଗେନ୍ଦ୍ରପୁର ପଂଚାୟତକୁ ପୁରସ୍କାର ଅର୍ଥରାଶି ଭାବେ ଦଶହଜାର ଟଙ୍କାର ଚେକ୍ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।
ସ୍ୱାସ୍ଥ୍ୟସେବାରେ ଗୋଷ୍ଠୀର ସହଭାଗିତା ବାର୍ତ୍ତାକୁ ନେଇ ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ଜିଲ୍ଲାର ପ୍ରାୟ ତିନିଶହରୁ ଉର୍ଦ୍ଧ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଏ.ଏନ୍.ଏମ୍., ପଂଚାୟତିରାଜ ଲୋକପ୍ରତିନିଧି ତଥା ବହୁ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ପରେପରେ ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିସହିତ ଜିଲ୍ଲାରେ ଯକ୍ଷ୍ମାନିୟନ୍ତ୍ରଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଶାକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍, ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଡିପିଏମ୍ ରୂପକ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଆଶା ମ୍ୟାନେଜର୍ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।