ବୌଦ୍ଧରେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ

0 133

ବୌଦ୍ଧ,୭/୯- ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ୩୬ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ଏ.ଏନ୍‌.ଏମ୍‌ ତାଲିମ୍‌ କେନ୍ଦ୍ରର ଛାତ୍ରୀମାନେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପତାକା ଦେଖାଇ ଚକ୍ଷୁଦାନ ନିମନ୍ତେ ପ୍ରସ୍ତୁତ ହୋଇଥିବା ରଥକୁ ଶୁଭାରମ୍ଭ କରିଥିଲେ । ପରେପରେ ଏକ ରାଲି ଅନୁଷ୍ଠିତ ହୋଇଥିଲା । ଚକ୍ଷୁଦାନ, ଅନ୍ଧତ୍ୱ ଦୂରୀକରଣ ନିମନ୍ତେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୫ ଦିନ ବ୍ୟାପି ଜିଲ୍ଲାସ୍ତରରେ ପାଳିତ ହେଉଅଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା. ବଲ୍ଲଭଚନ୍ଦ୍ର ପ୍ରଧାନ ଚଳିତ ବର୍ଷର ବାର୍ତ୍ତା- “ମୃତ୍ୟୁ ପରେ ମଧ୍ୟ ରହନ୍ତୁ ଜୀବନ୍ତ, ଚକ୍ଷୁଦାନ କରି ଦୂର କରନ୍ତୁ ଅନ୍ଧତ୍ୱ” ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର ଚକ୍ଷୁଦାନର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍‌, ଡିପିଏମ୍‌ ରୂପକ କୁମାର ମହାପାତ୍ର, ଏ.ଏନ୍‌.ଏମ୍‌ ତାଲିମ୍‌ କେନ୍ଦ୍ରର ଅଧ୍ୟକ୍ଷା ରୀତାଞ୍ଜଳି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏଡିପିଏଚ୍‌ ସିଓ ସୁନୀଲ୍‌ କୁମାର ନାୟକ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − 12 =