ଜହ୍ନ ।ପଙ୍କ,୧୭/୧୦: ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ପଦ୍ମନପୁର ପଞ୍ଚାୟତର ତୁଳସୀପୁର ଗ୍ରାମ ନିକଟରେ ଏଲଏଣ୍ଡଟି ଦ୍ୱାରା ନିର୍ମାଣାଧିନ ଜଳଯୋଗାଣ ପ୍ରକଳ୍ପର ଓଭର ହେଡ ଟାଙ୍କିର ଲୁହା ସାମଗ୍ରୀ ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଜଣେ ଯୁବକ ଧରା ପଡିଥିବା ବେଳେ ୭ ଜଣ ଫେରାର ମାରିଥିବା ଜଣାପଡିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତୁଳସୀପୁର ଗ୍ରାମ ନିକଟରେ ଥିବା ନିର୍ମାଣାଧିନ ଜଳ ଯୋଗାଣ ପ୍ରକଳ୍ପର କିଛି ନିର୍ମାଣ ସାମଗ୍ରୀ ରାତି ପ୍ରାୟ ୧୨ ଘଣ୍ଟା ସମୟରେ ଚୋରି କରୁଥିବା ଖବର ଗ୍ରାମବାସୀ ଜାଣିପାରି ସେମାନଙ୍କୁ ଗୋଡାଇ ଥିଲେ । ବାଉଁଶୁଣି ଥାନା ମୁଣ୍ଡିପଦର ଗ୍ରାମର ସୁବାଷ ସାହୁ ନାମକ ଜଣେ ଯୁବକକୁ ଗ୍ରାମବାସୀ ଧରିଥିବା ବେଳେ ଅନ୍ୟ ୭ ଜଣ ଫେରାର ମାରିଥିଲେ । ଚୋରି ସାମଗ୍ରୀ ସହ ଗୋଟିଏ ଲୁନା ଓ ୭ ଗୋଟି ସାଇକେଲ ଓ ଜଣେ ଅଭିଯୁକ୍ତକୁ ଗାଆଁ ଲୋକେ ଅଟକ ରଖି ଜହ୍ନାପଙ୍କ ପୋଲିସକୁ ହସ୍ତାନ୍ତର କରିଛନ୍ତି ।
ପୋଲିସ୍ ଅନ୍ୟ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରି ତଦନ୍ତ ଜାରି ରଖିଥିବା ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ତେଲିବନ୍ଧ-ବାରପୁଦୁଗ ରାସ୍ତାରେ ବିଭିନ୍ନ ସ୍ଥାନରେ ଦିଆଯାଇଥିବା ସୂଚନା ଫଳକର ଲୁହା ଏଙ୍ଗେଲ ଚୋରି କରିବା ସମୟରେ ଢୁଡୁରୁବାହାଲ ଗ୍ରାମବାସୀ ଗୋଡାଇବାରୁ ସାମଗ୍ରୀ ଛାଡି ଫେରାର ହୋଇଯାଇଥିଲେ । ଗ୍ରାମବାସୀ ସେହି ସାମଗ୍ରୀ ଜବତ କରି ତେଲିବନ୍ଧ ସରପଞ୍ଚଙ୍କ ଜିମାରେ ଦେଇଥିଲେ । ଅଞ୍ଚଳରେ ବିଭିନ୍ନ ସମୟରେ ଚୋରି ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ ଚୋରର ଟେର ପାଉନଥିବା ବେଳେ ପୁଲିସ ପେଟ୍ରୋଲିଂ ପାଇଁ ସାଧାରଣରେ ଦାବି ହେଉଛି ।