ମୁଖ୍ୟମନ୍ତ୍ରୀ ଶୁଣିଲେ ଲୋକଙ୍କ ଅଭିଯୋଗ,ଅଭିଯୋଗର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

0 51

ଭୁବନେଶ୍ଵର : ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ପଞ୍ଚମ ପାଳି। ଆଜି ଏହି କାର୍ଯ୍ୟକ୍ରମରେ ଏକ ନିଆରା ମାନବିକତା ପଣ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଗାଡିରୁ ଓହ୍ଲାଇ ପ୍ରଥମେ ଯାଇଥିଲେ ଅପେକ୍ଷାରତ ଦିବ୍ୟାଙ୍ଗ ବ୍ୟକ୍ତି ମାନଂକ ପାଖକୁ। ପ୍ରାୟ ୫୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଅପେକ୍ଷାରେ ବସିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଂକ ପାଖକୁ ଯାଇ ବସିବା ପାଇଁ କହି ନିଜେ ଠିଆ ହୋଇ ସେମାନଙ୍କର ଅଭିଯୋଗ ଶୁଣିଥିଲେ ଏବଂ ଦରଖାସ୍ତ ଗ୍ରହଣ କରିଥିଲେ। କେତେକ ଅଭିଯୋଗକାରୀଙ୍କ ଗୁହାରୀ ଶୁଣି ତତକ୍ଷଣାତ୍ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ। ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଦିବ୍ୟାଙ୍ଗ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ମାନବିକତା ପୂର୍ଣ୍ଣ ବ୍ୟବହାରରେ ଆନନ୍ଦିତ ହୋଇଥିଲେ।
ଅଭିଯୋଗ ନେଇ ଆସିଥିବା ଲୋକଙ୍କୁ ପାଖରେ ବସାଇ ଲୋକଙ୍କ ଦୁଃଖ ଶୁଣୁଛନ୍ତି। ସମାଧାନର ବ୍ୟବସ୍ଥା କରୁଛନ୍ତି। ଧୈର୍ଯ୍ୟ ଧରିବାକୁ ଆଶ୍ଵାସନା ଦେଉଛନ୍ତି। ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ କିପରି ହେବ ସେଥିପାଇଁ ନିର୍ଦ୍ଦେଶ ଦେଇ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।

hiring


ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ପଞ୍ଚମ ପାଳିରେ ପହଞ୍ଚିଲା। ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ବର୍ତ୍ତମାନ ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବରେ ଅନଲାଇନ୍ କରାଯାଇଅଛି। ଏହା ଦ୍ବାରା ଅଭିଯୋଗକାରୀ ମାନଙ୍କୁ ଅଯଥାରେ ଅଧିକ ସମୟ ଅପେକ୍ଷା କରିବାକୁ ପଡୁନାହିଁ। ପ୍ରତି ପାଳିରେ ସମସ୍ତଙ୍କୁ ଉପଯୁକ୍ତ ସମୟ ଦେବାପାଇଁ ସର୍ବାଧିକ ୧୦୦୦ ଅଭିଯୋଗକାରୀଙ୍କୁ ଭେଟିବାର ବ୍ୟବସ୍ଥା କରାଯାଉଛି।
ଆଜି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏବଂ ସମବାୟ, ହସ୍ତ ତନ୍ତ ଓ ବୟନ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ସେମାନଙ୍କ ସହିତ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଥିଲେ।
ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଭିଯୋଗକାରୀ ମାନଂକ ମଧ୍ୟରୁ ଜଣେ ଥିଲେ ନୟାଗଡ଼ ଜିଲ୍ଳାର ବୟସ୍କ ମହିଳା କେତକୀ ନନ୍ଦ। ପୁଅ ତାଙ୍କୁ ଘରୁ ବାହାରକୁ ବାହାର କରିଦେଇଛି। ତାଙ୍କ ଦୁଃଖ କାହାଣୀ ଶୁଣି ମୁଖ୍ୟମନ୍ତ୍ରୀ ବ୍ୟଥିତ ହୋଇଥିଲେ। ତୁରନ୍ତ ମା’ ଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲା ଏସପି ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେହିଭଳି କଟକ ଜିଲ୍ଲା ବଡମ୍ବା ଅଞ୍ଚଳର ବନିତା ପ୍ରଧାନ ଓ ଅମିତା ପ୍ରଧାନ ଦୁଇ ଭଉଣୀ ଆସିଥିଲେ ନିଜ ଅସହାୟତା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସାହାଯ୍ୟ ପାଇଁ। ବାପା ମରିଯାଇଛନ୍ତି, ଦଶାହ କାର୍ଯ୍ୟ କରିବା ପାଇଁ ଦୁଇ ଛୋଟ ଝିଅଙ୍କ ପାଖେ ପଇସା ନାହିଁ। ଦଶାହ କାର୍ଯ୍ୟ କିପରି କରିବେ। ମୁଖ୍ୟମନ୍ତ୍ରୀ ତାଙ୍କ ଦୁଃଖ ଶୁଣି ଜିଲ୍ଲାପାଳଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ଦୁର୍ଘଟଣା ପୀଡ଼ିତ ପରିବାରରୁ ପାଞ୍ଚ ଜଣ ମହିଳା ସଦସ୍ୟା ଆସିଥିଲେ ସେମାନଙ୍କ ଅଭିଯୋଗ ଓ ଦୁଃଖ ଜଣାଇବା ପାଇଁ। ଘରର ରୋଜଗାରିଆ ସଦସ୍ୟ ମାନଙ୍କୁ ହରାଇ ବହୁ ଦୁଃଖରେ ଚଳୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ମହିଳା ମାନଙ୍କୁ ରୋଜଗାର ଯୋଗାଇଦେଇ ଥଇଥାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜଟଣୀରୁ ଆସିଥିଲେ ପ୍ରୀତି ମହାନ୍ତି ଓ ଲକ୍ଷ୍ମୀପ୍ରିୟା ନାୟକ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଅଭିଯୋଗ ଶୁଣି ତୁରନ୍ତ ସମସ୍ୟାର ସମାଧାନ ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହିଭଳି ପଞ୍ଜୀକୃତ କରିଥିବା ହଜାରେ ଲୋକ ସେମାନଙ୍କର ସ୍ବାସ୍ଥ୍ୟଗତ, ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କୁ ଭେଟି ସେମାନଙ୍କ ଦରଖାସ୍ତ ଦେଇଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ଭରସାଯୋଗ୍ୟ ପ୍ରତିଶ୍ରୁତି ପାଇ ଖୁସି ମନରେ ଫେରିଥିଲେ।

hiranchal ad1
Leave A Reply

Your email address will not be published.

five × two =