ବାଲିଗୁଡ଼ା:ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ, ଓଡ଼ିଶାର ପ୍ରଥମ ଏବଂ ଆଦିବାସୀ ମହିଳା ଦୌପଦୀ ମୁର୍ମୁ ବିଜୟୀ ହୋଇ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧ୍ୟଷ୍ଠିତ ହେବାକୁ ଯାଉଛନ୍ତି । ଏହା ସାରା ଦେଶ ବିଶେଷକରି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିରେ ବିଜୟ ଉତ୍ସବ ପାଳନ କରିଛି ବ୍ଲକ ବିଜେପି । ଦଳର ସଦସ୍ୟମାନେ ଦାରିଙ୍ଗବାଡି ଚାରିଛକଠାରେ ପାରମ୍ପରିକ ବାଜା ବଜାଇ, ବାଣ ଫୁଟାଇ ନାଚିବା ସହ ମିଠା ବାଣ୍ଟି ଖୁସି ମନାଇଛନ୍ତି । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଇତିହାସରେ ଆଜି ଓଡ଼ିଶା ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇ ପାରିଛି । ଏହା କେବଳ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ସମ୍ଭବ ହୋଇଥିବା ଦଳୀୟ କର୍ମୀ ମାନେ ପ୍ରକାଶ କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓବିସି ଜିଲ୍ଲା ସଭାପତି ହରେନ ସାହୁ, ଏସଟି ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଜୟଚନ୍ଦ୍ର ପଡ୍ରା, ସମ୍ପାଦକ ଦିଲୀପ ପ୍ରଧାନ, ଅରୁଣ ପ୍ରଧାନ ପ୍ରଭାକର ସାହୁଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।