ଜିଲ୍ଲାପାଳଙ୍କୁ ଫେରାଦ ଦେଲେ କ୍ଷତିଗ୍ରସ୍ତ ଗ୍ରାମବାସୀ

0 752

ଦଶପଲ୍ଲା,୨୯/୩ : – ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଅଧିଗ୍ରହଣ ପ୍ରକିୟା ଶେଷ ହେବାର ନାଁ ଧରୁନାହିଁ । ଆଦିବାସୀଙ୍କ ଚାଷ ଜମି ରେଳପଥ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ବେଳେ ସେମାନଙ୍କୁ ଅନ୍ଧାରରେ ରଖାଯାଇଛି । ଜମି ବାବଦ ସହାୟତା ରାଶି ସେମାନଙ୍କୁ ମିଳିବ ନାଁ ନାହିଁ ତାହା ମଧ୍ୟ ତାଙ୍କୁ ସୂଚନା ଦିଆଯାଉନାହିଁ । ଭୂଅର୍ଜନ ଅଧିକାରୀଙ୍କ ଦେଖା ମିଳୁନଥିବାବେଳେ ଆଜି ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବୁଗୁଡା କଲୋନୀର ୫୦ ପରିବାର । ୧୯୫୫ ମସିହାରେ ଆଖପାଖ ଜଙ୍ଗଲ ମଧ୍ୟରେ ଜୀବନ ବିତାଉଥିବା ଆଦିବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ତତ୍କାଳୀନ ପୁରୀଜିଲ୍ଲା ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଉଦ୍ୟମ ଆରମ୍ଭ କରିଥିଲେ । ଜଙ୍ଗଲରେ ବଞ୍ଚୁଥିବା ଆଦିବାସୀଙ୍କୁ ସରକାରଙ୍କ ସୁବିଧା ଓ ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ନୟାଗଡ ବୈାଦ୍ଧ ରାସ୍ତାକଡରେ ବୁଗୁଡା କଲୋନୀ ସ୍ଥାପନ କରାଗଲା । ଟାକେରା ପଞ୍ଚାୟତ ଅଧିନରେ ୨୫ଟି ଘର, କୂଅ ନିର୍ମାଣ କରାଯିବା ସହ ଆଦିବାସୀଙ୍କୁ ଚାଷବାସ କରିବାକୁ ସରକାର ଜମି ଯୋଗାଇ ଦେଇଥିଲେ । ଆଦିବାସୀ ୨୫ ପରିବାର ପାଇଥିବା ଚାଷଜମି ବାବଦରେ ଜଙ୍ଗଲ ଜମି ଅଧିକାର ପ୍ରମାଣ ପତ୍ର ମଧ୍ୟ ମିଳିଛି । ୨୫ ପରିବାରରୁ ଆରମ୍ଭ ହୋଇଥିବା ବୁଗୁଡା କଲୋନୀ ୬୫ ବର୍ଷ ଏହି ସ୍ଥାନରେ ବାସ କରୁଥିବା ବେଳେ ପରିବାର ସଂଖ୍ୟା ୫୦ ହୋଇଥିବା ସୂଚନା ମିଳିଛି । ଗ୍ରାମକୁ ଲାଗି ରହିଥିବା ଚାଷ ଜମିରେ ଧାନ, ବାଇଗଣ, କଲରା, ପୋଟଳ ଚାଷ କରି ବୁଗୁଡା କଲୋନୀ ବାସିନ୍ଦା ସୁଖ ଓ ସ୍ୱାଚ୍ଛନ୍ଦ୍ୟରେ ଜୀବନ ବିତାଉଥିଲେ । ରେଳପଥ ନିର୍ମାଣ ପାଇଁ ଗ୍ରାମର ୭୦ ପ୍ରତିଶତ ଚାଷ ଜମି ଚାଲି ଯାଉଥିବା ବେଳେ ଗ୍ରାମବାସୀଙ୍କୁ ଜମି ଅଧିଗ୍ରହଣ ଅଧିକାରୀ କିମ୍ବା ତହସିଲ ପକ୍ଷରୁ କୈାଣସି ନୋଟିସ କରାଯାଇନାହିଁ । ସହାୟତା ଅର୍ଥ ସେମାନଙ୍କୁ ମିଳିବ ନା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରମ୍ବାର ଆଦିବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ ମଧ୍ୟ କୈାଣସି ପ୍ରତ୍ୟୁତ୍ତର ପାଇନାହାନ୍ତି । ନୟାଗଡରେ ଥିବା ରେଳପଥ ଜମି ଅଧିଗ୍ରହଣ କାର୍ଯ୍ୟାଳୟକୁ ବାରମ୍ବାର ଆସିଲେ ମଧ୍ୟ ଅଧିକାରୀଙ୍କୁ ଦେଖା ମିଳୁନାହିଁ । ୬୫ ବର୍ଷ କାଳ ଜମିର ମାଲିକ ସାଜିଥିବାବେଳେ ଆଜି ସେମାନଙ୍କ ଭାତ ହାଣ୍ଡି ବିପଦରେ ବୋଲି ଗ୍ରାମର ନିତ୍ୟାନନ୍ଦ ପ୍ରଧାନ, ପ୍ରମୋଦ କୁମାର ଜାନୀ, ନିରଞ୍ଜନ କଅଁର, ପରମାନନ୍ଦ ମଲ୍ଲିକ, ନେତ୍ରାନନ୍ଦ ମଲ୍ଲିକ, ପ୍ରସନ୍ନ କୁମାର ଜାନୀ, ସରୋଜ କୁମାର ଜାନୀ ପ୍ରମୁଖ ଅଭିଯୋଗ କରିଛନ୍ତି । ଯଥାଶ୍ରୀଘ୍ର ସମସ୍ୟା ସମାଧାନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାପାଇଁ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × 2 =