ଅନ୍ଧବିଶ୍ୱାସ ଆଗରେ ବଳିପଡ଼ିଲା ମଣିଷପଣିଆ

0 456

ଦଶପଲ୍ଲା,୧୨/୧୧: – ଅନ୍ଧବିଶ୍ୱାସର କରୁଣ ପରିଣତି । ମୃତ୍ୟୁ ପରେବି ମିଳିଲାନି ଚାରିକାନ୍ଧ । ପ୍ରାପ୍ତ ସୂଚନା ଅନୁସାରେ ନୟାଗଡ଼ ସଦରବ୍ଲକ୍‌, ନୋତର ଗ୍ରାମର ବକସି ନାୟକ (୭୭) ନାମକ ଜନୈକ ବ୍ୟକ୍ତି ଗତ କିଛିଦିନ ହେବ ମାଛିଆ ପାତକ ସହ ଅନ୍ୟ କେତୋଟି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଥିଲେ । କିନ୍ତୁ ଶୁକ୍ରବାର ରାତି ପାଖାପାଖି ଦୁଇଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ବକସି ନାୟକଙ୍କ ପୁଅ ଓ ନାତି ଶବଦାହ ପାଇଁ ପଡୋଶୀ ଓ ଗ୍ରାମବାସୀମାନଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ରୋଗ ଡେଇଁ ଯିବା ଭୟରେ ଗ୍ରାମର କୌଣସି ବ୍ୟକ୍ତି ଦାହ ସଂସ୍କାରରେ ସାମିଲ ହୋଇନଥିଲେ । ଶୁଣିବାକୁ ମିଳୁଛି ଯେ ,ନୋତର ଗ୍ରାମର ବିଭିନ୍ନ ଦେବାଳୟ ପୂଜା କରୁଥିବା ପାଖ ଗମ୍ଭାରୀଡ଼ିହି ଗ୍ରାମର ଜଣେ ବ୍ରାହ୍ମଣ କିଛିଦିନ ଆଗରୁ ଗ୍ରାମବାସୀ ମାନଙ୍କୁ କହିଥିଲେ କି ଯେ ବକସି ନାୟକ ଯେଉଁ ବ୍ୟାଧିରେ ପୀଡ଼ିତ ତାଙ୍କୁ ଯଦି କେହି ଛୁଇଁବ କିମ୍ବା ଶବଦାହ କରିବ ତେବେ ସେହି ବ୍ୟକ୍ତି ସେ ରୋଗ ବ୍ୟାଧିରେ ପୀଡ଼ିତ ହେବ । ଏଣୁ ଏହି ଅନ୍ଧବିଶ୍ୱାସର ଶିକାର ହୋଇ କୌଣସି ଗ୍ରାମବାସୀ ବକସିଙ୍କ ଶବଦାହ କରିବାକୁ ଗଲେ ନାହିଁ । ବକସି ନାୟକଙ୍କ ପୁଅ ଓ ନାତି ବର୍ଷା ଅନ୍ଧାର ରାତିରେ ଦୁଆର ଦୁଆର ବୁଲି ନେହୁରା ହୋଇଥିଲେ ମଧ୍ୟ ଏହି କଥାକୁ କେହି କର୍ଣ୍ଣପାତ କରିନଥିଲେ । ଲାଗୁଥିଲା ସତେ ଯେମିତି ଅନ୍ଧ ବିଶ୍ୱାସ ଆଗରେ ମଣିଷ ପଣିଆ ବଳି ପଡିଯାଇଛି । ଶେଷରେ ବକସି ନାୟକଙ୍କ ନାତି ଅନନ୍ୟା ଫାଉଣ୍ଡେସନକୁ ଯୋଗାଯୋଗ କରିଥିଲେ । ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ଭୋର ସମୟରେ ପହଞ୍ଚି ବକସିଙ୍କ ପୁଅ ଓ ନାତିଙ୍କ ସହଯୋଗରେ ଶବକୁ ଗ୍ରାମ ମୁଣ୍ଡ ଶ୍ମଶାନ ନିକଟକୁ ଆଣି ଯଥାବିଧି ଶବଦାହ କରିଥିଲେ ।

hiranchal ad1
Leave A Reply

Your email address will not be published.

12 − six =