ଅପହରଣକାରୀଙ୍କ କବଳରେ କଲେଜ ଛାତ୍ରୀ, ପ୍ରତିଶୃତି ପରେ ହଟିଲା ରାସ୍ତାରୋକ

0 277

ଗଣିଆ,୨/୧୨- ନୟାଗଡ ଜିଲ୍ଲା ଗଣିଆ ବ୍ଲକସ୍ଥିତ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରୁ ଜଣେ କଲେଜ ଛାତ୍ରୀକୁ ଅପହରଣ କରାଯାଇଥିବା ଗଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଛାତ୍ରୀଙ୍କ ମା ଗଣିଆ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବୁଧବାର ପୂର୍ବାହ୍ନ ୧୦.୨୦ ମିନିଟରେ ଝିଅ ଘରୁ କଲେଜ ଯିବା ବାଟରେ କଲେଜ ସାମ୍ନାରୁ ଏକ ନମ୍ବର ବିହୀନ କାରରେ ୪ଜଣ ଦୁବୃର୍ତ୍ତ ଅପହରଣ କରିନେଇଛନ୍ତି । ଏ ନେଇ ପୋଲିସ ଏକ ମାମଲା (ନଂ. ୮୧/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଅଜଣା କାରକୁ ପିଛାକାରୀ ଗଣିଆ ଠାରୁ ନାଦିରିଗୋଛା ଦେଇ ଦଶପଲ୍ଲା ପଯ୍ୟନ୍ତ ପିଛା କରିଥିଲେ । ହେଲେ ଅପହରଣକାରୀଙ୍କର କୌଣସି ସନ୍ଧାନ ପାଇପାରିନଥିଲେ । ଏହାକୁ ନେଇ କଲେଜର ଛାତ୍ରଛାତ୍ରୀ ମାନେ ଗଣିଆ ଦଶପଲ୍ଲା ରାଜପଥକୁ ୪ଘଣ୍ଟା ଧରି ଅବରୋଧ କରିଥିଲେ । ରାସ୍ତାରେ ଟାୟାର ଜାଳି ହରତାଳ କରି ସ୍ଲୋଗାନ ଦେଇଥିଲେ । ଫଳରେ ଶହଶହ ଗାଡି ମୋଟର ସାଇକେଲ ଅଟକି ରହିଥିଲା । ଘଟଣାସ୍ଥଳରେ ଗଣିଆ ତହସିଲଦାର କିଶୋର କୁମାର ପଣ୍ଡା ଓ ଗଣିଆଥାନା ଆଇଆଇସି ବିମଳ କୁମାର ମଲ୍ଲିକ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝାଶୁଝା କରିଥିଲେ । ଛାତ୍ରଛାତ୍ରୀ ମାନେ ଝିଅକୁ ଆଣିବା ପାଇଁ ଜିଦ ଧରି ବସିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କର ଦୁଇଟି ସର୍ତ୍ତରେ ରାଜି ହେଲା ପରେ ରାସ୍ତା ଅବରୋଧ ହଟିଥିଲା । ପ୍ରଥମ ଦାବି ଝିଅକୁ ୨୪ଘଣ୍ଟା ଭିତରେ ହାଜର କରିବା ଓ କଲେଜର ଉଭୟ ପାର୍ଶ୍ୱରେ ପୋଲିସ ତରଫରୁ ଦୁଇଜଣ କର୍ମଚାରୀଙ୍କୁ ସଜାଗ ରହି କାଯ୍ୟ କରିବା ସହିତ କଲେଜର ସମ୍ମୁଖରେ ସିସିଟିଭି ବ୍ୟବସ୍ଥା କରାଯିବାର ପ୍ରତିଶୃତି ଦିଆଯାଇଥିଲା । ଗଣିଆ କଲେଜରେ ଏଭଳି ଘଟଣା ପ୍ରଥମ ହୋଇଥିବାରୁ ଅଭିବାବକ ଓ ଛାତ୍ରୀମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଅପହରଣକାରୀ ଓ ଛାତ୍ରୀଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଗଣିଆଥାନା ଆଇଆଇସି ବିମଳ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty − thirteen =