ବନ୍ଧୁକ ମୁନରେ ଡକାୟତି ଅଭିଯୋଗ, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ

0 252

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମୁଖ୍ୟାଳୟ ଡଙ୍ଗରଭେଜା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ସୁନୀଲ ସାହୁଙ୍କ ପୈତୃକ ଘରେ ଭଡାରେ ରହୁଥିବା ଶିକ୍ଷୟତ୍ରୀଙ୍କ ଘରେ ପଶି ଡକାୟତି କରିଛନ୍ତି କିଛି ମୁଖାପିନ୍ଧା ଦୁର୍ବୃତ୍ତ । ଅଭିଯୋଗ ଅନୁସାରେ ମଙ୍ଗଳବାର ମଧ୍ୟରାତ୍ରରେ ଆଠ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ତାଲା ଭାଙ୍ଗି ପଶି ଥିଲେ ଏବଂ ଘରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ କୁମଦିନି ବେହେରା ଓ ତାଙ୍କ ସ୍ୱାମୀ ରୋହିତ ବେହେରାଙ୍କ ସହ ଦୁଇ ଛୋଟ ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାର ଧମକ ଦେଇ ଘରେ ଥିବା ସମସ୍ତ ସୁନା ଗହଣା ଓ ଟଙ୍କା ଲୁଟ କରିଛନ୍ତି । ଏହା ସହ ବ୍ୟବସାୟୀ ସୁନୀଲ ସାହୁଙ୍କ ରୁମ ବିଷୟରେ ପଚାରି ସେଠି ମଧ୍ୟ ତନାଘନା କରିଥିଲେ । ୪ଟି ସୁନା ଚେନ , ୧୨ ଟି ମୁଦି , ଗୋଟିଏ ସୁନା ହାର, ୪ ହଳ ସୁନାଚୁଡି , ୩ ଟି ମଙ୍ଗଳସୁତ୍ର , ୪ ହଳ କାନଫୁଲ, ୪ ହଳ ପାଉଁଜି , ଗୋଟିଏ ସୁନା ଲକେଟ ଓ ଛୋଟ ଛୁଆଁଙ୍କ ଦୁଇଟି ସୁନା ମୁଦି ଏବଂ ୧୭୦୦ ଟଙ୍କା ନଗଦ ଲୁଟିଥିବା କହିଛନ୍ତି ଶିକ୍ଷୟତ୍ରୀ । ଲୁଟ ହୋଇଥିବା ଟଙ୍କା ଓ ସୁନାଗହଣାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷଟଙ୍କା ହେବ ବୋଲି ଜଣାପଡିଛି । ଲୁଟ କରିବାକୁ ଆଠ ଜଣ ଦୁର୍ବୃତ୍ତ ଆସିଥିବା ବେଳେ ଛଅ ଜଣ ଡକାୟତଙ୍କ ହାତରେ ପିସ୍ତଲ ଥିବା ବେଳେ ଦୁଇ ଜଣଙ୍କ ହାତରେ ଖଣ୍ଡା ଥିବା କହିଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ୱାମୀ । ଗ୍ରାମାଞ୍ଚଳରେ ଏହି ଭଳି ଘଟଣା ପ୍ରଥମ ଥର ପାଇଁ ହୋଇଥିବା ବେଳେ ଏହାକୁ ନେଇ ଭୟର ବାତାବରଣ ଦେଖାଦେଇଛି । ଘରୁ ସମସ୍ତ ଟଙ୍କା ସୁନା ନେଇ ଡକାୟତମାନେ ଚାଲିଯାଇଥିବା ବେଳେ ଏନେଇ ଡଙ୍ଗରଭେଜା ଫାଣ୍ଡି ରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁରର ସାହାଯ୍ୟ ମଧ୍ୟ ନିଆଯାଇଛି । ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଧରିବାର ଚେଷ୍ଟା କରାଯିବ ବୋଲି ନବରଙ୍ଗପୁର ପୋଲିସ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + 11 =