ଘୁ.ଉଦୟଗିରି,୨୫/୧୦- ରାଜ୍ୟ ସରକାର ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାରା ଜିଲ୍ଲାରେ ପୋଲିସ ସହିଦ ଦିବସ ପାଳନ ହେଉଥିବା ବେଳେ ଆଜି ସ୍ଥାନୀୟ ଥାନାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦେଶ୍ୟ ହେଲା ପୋଲିସ ବାହିନୀରେ କାର୍ଯ୍ୟକରି ସହିଦ ହୋଇଥିବା ଅଧିକାରୀ କର୍ମଚାରୀ ଏବଂ ଯବାନଙ୍କୁ ମନେ ପକାଇବା ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା । ସ୍ଥାନୀୟ ଥାନା ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନ ବିହାରୀ ବେହେରା, ଜିଲ୍ଲା ସଦରମହକୁମା ଡ଼ିଏସପି ସ୍ନେହାଶିଷ ସାହୁ ଯୋଗଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ପୋଲିସ ଚାକିରୀ କରି ଦେଶ ମାତୃକାର ରକ୍ଷାପାଇଁ ଏବଂ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଯବାନ କୋଭିଡ ଜନିତ ମୃତ୍ୟୁ ଯୋଗୁଁ ସେଇ ସମସ୍ତ ପରଲୋକଗତ ପୋଲିସ ଭାଇ ସହିଦ ହୋଇ ଆମ ପାଇଁ ଏକ ଆଦର୍ଶ ପାଲଟିଯାଇଥିବା ଏବଂ ସତ୍ୟ ନ୍ୟାୟ କର୍ତବ୍ୟନିଷ୍ଠ ହୋଇ ସମସ୍ତ ପୋଲିସ ଭାଇ କାର୍ଯ୍ୟ କରିବାକୁ ମୁଖ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ଆଇଆଇସି ରେବତୀ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସଆଇ କୌଶଲ୍ୟା ବେହେରା,ଏଏସଆଇ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଏବଂ ଯବାନ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ସମସ୍ତ ପୋଲିସ ଅଧିକାରୀ ସହିଦ ପୋଲିସ ଏଏସଆଇ ମହାଜନ ପ୍ରଧାନଙ୍କ ବାସଭବନକୁ ଯାଇ ତାଙ୍କ ପରିବାରକୁ ସାକ୍ଷାତ କରିଥିଲେ ।