ଗଜପତି,୭/୩:- ପାରଳା ପୌର ଅଧ୍ୟକ୍ଷା ପାଇଁ କଂଗ୍ରେସରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ କାଉନସିଲର ଖଗେଶ୍ୱରୀ ବେହେରା । ପାରଳା ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତଥା ଅନ୍ତିମ ଦିବସରେ ପୌର ଅଧ୍ୟକ୍ଷା ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ କାଉନସିଲର ଶ୍ରୀମତୀ ଖଗେଶ୍ୱରୀ ବେହେରା । ଆଜି ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଶ୍ରୀମତୀ ଖଗେଶ୍ୱରୀ ବେହେରା ତାଙ୍କର ବହୁ ସମର୍ଥକ ସହ ବାହାରି ପୌର ପରିଷଦ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ପୌର କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣାଙ୍କ ଠାରେ ପୌର ଅଧ୍ୟକ୍ଷା ଆସନ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ନିଜର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଶ୍ରୀମତୀ ଖଗେଶ୍ୱରୀ ବେହେରା ହେଉଛନ୍ତି ପାରଳା ପୌର ପରିଷଦ ଅନ୍ତର୍ଗତ ୩ ନଂ ୱାର୍ଡର ପୂର୍ବତନ କାଉନସିଲର । ଶ୍ରୀମତୀ ବେହେରା ତାଙ୍କ କାଉନସିଲର କାର୍ଯ୍ୟକାଳ ସମୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିବା ଯୋଗୁଁ ସେ ୱାର୍ଡବାସୀଙ୍କ ଠାରେ ବେଶ ଜଣାଶୁଣା ଓ ପରିଚିତ । ଅନ୍ୟପକ୍ଷରେ ଶ୍ରୀମତୀ ବେହେରା ବର୍ତ୍ତମାନ ପୌର ଅଧ୍ୟକ୍ଷା ଆସନ ପାଇଁ ପ୍ରତିଦ୍ୱନ୍ଦିତା ପ୍ରାର୍ଥିନୀ ହୋଇଥିବା ସହ ଏହି ଅଧ୍ୟକ୍ଷା ପାଇଁ ଜଣେ ଉପଯୁକ୍ତ ପ୍ରାର୍ଥିନୀ ହୋଇଥିବା ଯୋଗୁଁ ସମଗ୍ର ପାରଳା ସହରରେ ଶ୍ରୀମତୀ ବେହେରାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପାରଳା ସହରର ପ୍ରାୟତଃ ସମସ୍ତ ସାହି-ବସ୍ତି ଅଞ୍ଚଳରେ ଶ୍ରୀମତୀ ବେହେରାଙ୍କ ଭଲ ସମ୍ପର୍କ ରହିଥିବା ସହ ତାଙ୍କର ବହୁ ସମର୍ଥକ ଓ ଶୁଭେଛୁ ରହିଛନ୍ତି । ଚଳିତ ପୌର ନିର୍ବାଚନରେ ସେ ବିଜୟୀ ହେଲେ ପାରଳାଖେମୁଣ୍ଡି ସହରର ସର୍ବାଙ୍ଗୀନ ଉନ୍ନତି କରିବେ ଏବଂ ପାରଳା ସହରକୁ ସରସ ସୁନ୍ଦର ଭାବେ ଗଢ଼ି ତୋଳିବାରେ ସହରବାସୀଙ୍କ ବିଶ୍ୱାସଭାଜନ ହେବା ଦିଗରେ ପ୍ରୟାସ କରିବେ ବୋଲି ଶ୍ରୀମତୀ ବେହେରା, ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ।