ଶିଶୁ ସୁରକ୍ଷା ଦିଗରେ ଗଜପତି ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ

0 88

ଗଜପତି,୩/୩- ଗୋଟିଏ ସମୟରେ ଗଜପତି ଜିଲ୍ଲା ଶିଶୁ ଶ୍ରମିକ, ଶିଶୁ ଚାଲାଣ ଏବଂ ଶିଶୁ ନିର୍ଯ୍ୟାତନାର ପେଣ୍ଠସ୍ଥଳୀ ଥିଲା କିନ୍ତୁ ଏସବୁକୁ ଦୂର କରିବା ପାଇଁ ସୁଦୂରପ୍ରସାରି ତଥା ସମୟୋଚିତ ପଦକ୍ଷେପ ମାଧ୍ୟମରେ ଶିଶୁ ସୁରକ୍ଷା କରି ସମସ୍ତଙ୍କ ପାଇଁ ଗଜପତି ଜିଲ୍ଲା ସାଜିଛି ପ୍ରେରଣାର ଉତ୍ସ । ପୁଣି ଥରେ ସାରା ଦେଶରେ ଚମକିଛି ଗଜପତି ଜିଲ୍ଲା । ଶିଶୁମାନେ କିପରି ନିଶା ସେବନ ଏବଂ ବ୍ୟବସାୟରୁ ଦୂରେଇ ରହିବେ ଏବଂ ଜିଲ୍ଲାରୁ ଶିଶୁ ଚାଲାଣ ଦୂର ହେବ ସେଥିପାଇଁ କାର୍ଯ୍ୟ କରି ଦେଶର ଶ୍ରେଷ୍ଠ ୨୦ ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି ଗଜପତି । ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ନାର୍କୋଟିକ କଂଟ୍ରୋଲ ବ୍ୟୁରୋ ଦ୍ୱାରା ମିଳିତ ଭାବେ ଆୟୋଜିତ ସମାରୋହରେ ଜିଲ୍ଲାପାଇଁ ଏ ସମ୍ମାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ଏକଦା ଶିଶୁ ଚାଲାଣକାରୀଙ୍କ ଭୂସ୍ୱର୍ଗ ପାଲଟିଥିଲା । ଏଠାକାର କୋମଳମତି ଶିଶୁମାନଙ୍କୁ ଗୋଆ , ମୁମ୍ବାଇ କୋଏମ୍ବାଟୁର , ଚେନ୍ନାଇ , ସୁରାଟ ଆଦି ସ୍ଥାନକୁ ବେଆଇନ କାର୍ଯ୍ୟକଳାପ ପାଇଁ ପ୍ରେରଣ କରାଯାଉଥିଲା କିନ୍ତୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଠନ କରାଯିବା ପରେ ଆଜିସୁଦ୍ଧା ରାଜ୍ୟ ବାହାରରୁ ୨୧୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଥଇଥାନପାଇଁ ଉଚିତ ପଦକ୍ଷେପ ଗ୍ରହଣ କରଯାଇଛି । ଏହାକୁ ଜିଲ୍ଲାରେ ସଂପୂର୍ଣ୍ଣ ଭାବରେ ରୋକିବାପାଇଁ ୧୮ଟି ସମ୍ବେଦନଶୀଳ ଗ୍ରାମପଞ୍ଚାୟତକୁ ଚିହ୍ନଟ କରାଯାଇ ସେଠାରେ ସର୍ଭେ ମାଧ୍ୟମରେ ବିଭିନ୍ନ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରାଯାଇଛି । ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମକୁ ଆହୁରି ମଜବୁତ କରାଯାଇଛି । ଏହାର ଫଳସ୍ୱରୂପ ବର୍ତ୍ତମାନ ସୁଦ୍ଧା ଶିଶୁ ଚାଲାଣକାରୀଙ୍କ ବିରୁଦ୍ଧରେ ୧୯ ଗୋଟି ମୋକଦ୍ଦମା ଋଜୁକରି ୩୫ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ପ୍ରତି ଶିକ୍ଷାବର୍ଷ ପୂର୍ବରୁ ଏହି ଅଞ୍ଚଳ ମାନଙ୍କରେ ଡ୍ରପଆଉଟ ପିଲାଙ୍କୁ ଚିହ୍ନଟକରି ସ୍କୁଲରେ ନାମ ଲେଖାଇବା ସହ ଆଇଟିଆଇ ଏବଂ ଡିପ୍ଲୋମାରେ ପିଲାମାନଙ୍କର ନାମ ଲେଖାଯାଉଛି । ଜିଲ୍ଲାରେ ଶିଶୁମାନଙ୍କୁ ନିଶାସେବନ ଏବଂ ବ୍ୟବସାୟରୁ ଦୂରେଇବା ପାଇଁ ବିଭିନ୍ନ ଜନସଚେତନତା କାର୍ଯ୍ୟ ହାତକୁ ନିଆଯାଇଛି । ଅବକାରୀ ବିଭାଗ , ପୋଲିସ ବିଭାଗ , ଡ୍ରଗ୍ସ କଂଟ୍ରୋଲର ବିଭାଗର ମିଳିତ ଆନୁକୂଲ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାପାଳ ଏହି ବିଭାଗ ଗୁଡିକୁ ନିୟମିତ ସମୀକ୍ଷା କରୁଛନ୍ତି । ଶିଶୁ ସୁରକ୍ଷା ପାଇଁ ବଦ୍ଧପରିକର ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସାରାଜିଲ୍ଲାକୁ ଶିଶୁ ନିର୍ଯ୍ୟାତନାରୁ ମୁକ୍ତ କରିବା ସହ ଶିଶୁଙ୍କ ପାଇଁ ଏକ ଚାପ ମୁକ୍ତ ସୁନେଲି ଭବିଷ୍ୟତ ଗଠନ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ।

hiranchal ad1
Leave A Reply

Your email address will not be published.

two × one =