କାଶିପୁରରେ ଝାଡାବାନ୍ତି ନେଲାଣି ୫ ଜୀବନ,ସ୍ଥିତି ଉପରେ ନଜର ରଖିଛି ଜିଲ୍ଳା ପ୍ରଶାସନ

0 60

ରାୟଗଡା: ରାୟଗଡା ଜିଲ୍ଳା କାଶିପୁର ବ୍ଳକରେ ଦେଖାଦେଇଛି ଝାଡାବାନ୍ତି । ଯାହାକି ବ୍ଳକର ଅନେକ ଗାଁଗୁଡିକରେ ଏବେ ବ୍ୟାପିବାରେ ଲାଗିଛି । ତେବେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ ପାଇଁ ଡାଇରିଆ ରୋଗର ନିରାକରଣ ପାଇଁ ବ୍ୟବସ୍ଥା କରାଯାଉଛି । ଗତ ୪ଦିନ ମଧ୍ୟରେ କାଶିପୁର ବ୍ଳକର ଟିକିରିରେ ୪ଜଣ ଓ ଡୁଡୁକାବାହାଲରେ ଜଣେ ଡାଇରିଆ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ଡାଇରିଆ ଜନୀତ ରୋଗରେ ମୃତ୍ୟୁ ନା ଆଉ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମୃତ୍ୟୁ ହୋଇଛି ତାହାର ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଜିଲ୍ଳା ପ୍ରଶାସନ କହୁଛି । ରାୟଗଡା ଜିଲ୍ଳା କାଶିପୁର ବ୍ଳକରେ ବ୍ୟାପିଥିବା ଝାଡାବାନ୍ତିର ସ୍ଥିତି ଜାଣିବା ପାଇଁ ଡିପିଏଚଓ ଡାକ୍ତର ଭି.ଏଲ.ଏନ ରାଜୁୁଙ୍କ ତତ୍ତ୍ୱାବଧାନରେ ୩ଜଣିଆ ଡାକ୍ତରୀ ଟିମ୍‌ ଟିକିରି ସମେତ ଅନ୍ୟ ଅଂଚଳଗୁଡିକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବ୍ଳକର ଡୁଡୁକାବାହାଲରେ ସବିତା ନାଏକଙ୍କ ପ୍ରଥମେ ମୃତ୍ୟୁ ହୋଇଥିବା ବେଳେ ପୁଣି ଡାଇରିଆରେ ଟିକିରିର କୋରାକୁପୁଲି ଗ୍ରାମର ଧୋବା ନାଏକଙ୍କ ମୃତ୍ୟୁ ହୋଇଥିଲା । ତେବେ ଗତକାଲି ବିଳମ୍ବିତ ରାତ୍ରରେ ଟିକିରି ଝୋଡିଆ ସାହିର ସରୋଜିନି ଝୋଡିଆ (୩୦),ଅଜଂ ଝୋଡିଆ (୧୮) ଓ ରଜନୀ ଝୋଡିଆ (୧୪)ଙ୍କ ମୃତ୍ୟୁ ହୋଇଛି । ଟିକିରିର ଝୋଡିଆ ସାହିରେ ଥିବା ଏକ କୂଅରୁ ସଂପୂର୍ଣ୍ଣ ସାହିକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ବର୍ଷାଦିନେ କୂଅ ମୁଣ୍ଡରେ କିଛି ବାଡ ନ ଥିବାରୁ ସାହିର ନାଳ ନର୍ଦ୍ଦମା ପାଣିଗୁଡିକ କୂଅରେ ସିଧାସଳଖ ମିଶୁ ଥିବା ବେଳେ ଏହି ଅପରିଷ୍କାର ପାଣି ଓଭରହେଡ୍‌ ଟାଙ୍କି ଯୋଗେ ଲୋକଙ୍କ ଘରକୁ ସଂଯୋଗ ହୋଇଥିବା ପାଇପ ଲାଇନରେ ଯାଉଥିବା ଓ ଏହାକୁ ଲୋକେ ପାନୀୟ ଭାବେ ବ୍ୟବହାର କରୁଥିବାରୁ ଏହି ଡାଇରିଆ ରୋଗ ବ୍ୟାପିଛି ବୋଲି ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାଏ ପ୍ରକାଶ କରିଥିବା ବେଳେ ଘଟଣାସ୍ଥଳରେ ଡାକ୍ତରୀ ଟିମକୁ ଅନୁଧ୍ୟାନ ପାଇଁ ପଠାଯାଇଛି ଏବଂ ଲୋକଙ୍କୁ ସଚେତନ କରାଯିବା ସହ ଆବଶ୍ୟକୀୟ ଔଷଧ ବଂଟନ ସହ ପାଣି ଟ୍ୟାଙ୍କର ଯୋଗେ ବର୍ତ୍ତମାନ କିଛି ଦିନ ପାଇଁ ପାନୀୟ ଜଳ ଯୋଗାଣ କରାଯାଉଛି । ଏଥିସହ ସ୍ଥାନୀୟ ମେଡିକଲ ଟିମ୍‌ ଓ ଉତ୍କଳ ହସ୍ପିଟାଲର ଡାକ୍ତରୀ ଟିମ୍‌ ମିଳିତ ଭାବେ ରୋଗୀଙ୍କୁ ଚିିକିତ୍ସା କରୁଥିବା ନେଇ ଜିଲ୍ଳାପାଳ ସ୍ୱଧାଦେବ ସିଂ ପ୍ରକାଶ କରିଛନ୍ତି । ତେବେ କୋଟି କୋଟି ଟଙ୍କା ଡିଏମଏଫ ପାଣ୍ଠି ଓ ସରକାରଙ୍କ ବିଭିନ୍ନ ଯୋଜନାର ଅନୁଦାନରୁ ଖର୍ଚ୍ଚ କରାଯାଉଥିବା ବେଳେ ଦୂଷିତ ପାନୀୟ ଜଳ ବ୍ୟବହାର କରି ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି । ଯାହାକୁ ନେଇ ମୋତେ ବହୁତ ଖରାପ ଲାଗୁଛି ବୋଲି କୋରାପୁଟ ସାଂସଦ ସପ୍ତିଗିିର ଉଲାକ ପ୍ରକାଶ କରିବା ସହ ଯଥାଶୀଘ୍ର ରାଜ୍ୟ ସରକାର ରାୟଗଡା ଜିଲ୍ଳାରେ ଏକ ମେଡିକଲ କଲେଜ,ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶାଲିଷ୍ଟର ସୁବିଧା ଯୋଗାଇବା ଆଦି ବିଷୟପ୍ରତି ଗୁରୁତ୍ୱ ଦେବା ପାଇଁ ଶ୍ରୀ ଉଲାକା କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 − 2 =