କିଟ୍‍ ଓ କିସ୍‍ ପକ୍ଷରୁ ଅଲିମ୍ପିଆନ୍‍ଙ୍କୁ ସମ୍ବର୍ଦ୍ଧନା : ପ୍ରମୋଦ ଓ ଦୂତୀଙ୍କ ନାମରେ ନାମିତ ହେବ କିଟ୍‍ର ଦୁଇ ଷ୍ଟାଡିଅମ୍‍

0 114

ଭୁବନେଶ୍ୱର: କିଟ୍‍ ଓ କିସ୍‍ ସର୍ବଦା କ୍ରୀଡ଼ା ଓ କ୍ର୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଥାଏ । ୨୦୦୫ରୁ କିଟ୍‍ ଓ କିସ୍‍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଇ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରାଯାଇଆସୁଛି । କ୍ରୀଡ଼ାର ଉନ୍ନତି ପାଇଁ କିଟ୍‍ ଓ କିସ୍‍ ବିଶ୍ୱବିଦ୍ୟାଳୟ ଭାରତ ତଥା ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିପାରିଛି । ନିକଟରେ ଟୋକିଓଠାରେ ସମାପନ ହୋଇଥିବା ପାରାଅଲିମ୍ପିକ୍‍ସରେ ବ୍ୟାଡ୍‍ମିଣ୍ଟନ୍‍ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ପ୍ରମୋଦ ଭଗତ ଦେଶ ପାଇଁ ଗୌରବ ଆଣିପାରିଛନ୍ତି । ବିଶେଷ କରି ପ୍ରମୋଦଙ୍କ ପାଇଁ ଓଡ଼ିଶା ନିଜକୁ ଗର୍ବିତ ମନେକରେ । ଟୋକିଓ ପାରାଅଲିମ୍ପିକ୍‍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦଙ୍କୁ ସୋମବାର କିଟ୍‍ ଓ କିସ୍‍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‍ ଓ କିସ୍‍ର ବରିଷ୍ଠ ପଦାଧିକାରୀଙ୍କ ଗହଣରେ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବାବଦରେ ପ୍ରମୋଦଙ୍କୁ ନଗଦ ୫ ଲକ୍ଷ ଟଙ୍କା ମାନପତ୍ର ଓ ଉପଢେ଼øକନ ପ୍ରଦାନ କରାଯାଇଥିଲା । ପରାଅଲିମ୍ପିକ୍‍ସକୁ ଯିବା ପୂର୍ବରୁ ପ୍ରମୋଦ କିଟ୍‍ର ୧୨ ନମ୍ବର କ୍ୟାମ୍ପସ୍‍ରେ ଥିବା ଇନ୍‍ଡୋର ଷ୍ଟାଡ଼ିଅମରେ ଦୀର୍ଘ ଦିନ ବ୍ୟାଡ୍‍ମିଣ୍ଟନ ଅଭ୍ୟାସ କରୁଥିଲେ । ସେହି ଷ୍ଟାଡିଅମ୍‍ଙ୍କୁ ଖୁବ୍‍ଶୀଘ୍ର ‘ପ୍ରମୋଦ ଭଗତ ଇନ୍‍ଡୋର ଷ୍ଟାଡିଅମ୍‍’ ନାମରେ ନାମିତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଏହା ସହ ଓଡ଼ିଶାର ଗୌରବ ପ୍ରମୋଦଙ୍କୁ କିଟ୍‍ କିମ୍ବା କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତାବର୍ଷ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ ।
ସେହିପରି ଭାରତର ଦୌଡ଼ରାଣୀ ତଥା କିଟ୍‍ ଛାତ୍ରୀ ଦୂତୀ ଚାନ୍ଦଙ୍କୁ ମଧ୍ୟ ୨୦୧୩ ମସିହାରୁ କିଟ୍‍ ଓ କିସ୍‍ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ସହ ଅନ୍ୟାନ୍ୟ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଇଆସୁଛି । ଦୂତୀ ଦୁଇ ଦୁଇ ଥର ଅଲମ୍ପିକ୍‍ ଟ୍ରାକ୍‍ରେ ଦୌଡ଼ିବାର ଗୌରବ ଅର୍ଜନ କରିଥିବା ବେଳେ ଏସିଆଡ, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଦି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରି ଭାରତ, ଓଡ଼ିଶା ତଥା କିଟ୍‍କୁ ଗୌରବାନ୍ୱିତ କରିଛନ୍ତି । ଦୂତୀଙ୍କ ସଫଳତା ପାଇଁ ତାଙ୍କ ନାମରେ ମଧ୍ୟ କିଟ୍‍ର ସିନ୍ଥେଟିକ୍‍ ଆଥଲେଟିକ୍‍ ଷ୍ଟାଡିଅମ୍‍କୁ ‘ଦୂତୀ ଚାନ୍ଦ ଷ୍ଟାଡ଼ିଅମ୍‍’ ନାମରେ ନାମିତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଏହା ସହିତ ଦୂତୀ ଚାନ୍ଦଙ୍କୁ ମଧ୍ୟ କିଟ୍‍ କିମ୍ବା କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯିବ । ଏହା ଦ୍ୱାରା କେବଳ ପ୍ରମୋଦ ଓ ଦୂତୀ କେବଳ ଉତ୍ସାହିତ ହେବେ ନାହିଁ, ବରଂ ଅନ୍ୟ ଖେଳାଳିମାନେ ମଧ୍ୟ ଏଥିରୁ ପ୍ରେରଣା ପାଇପାରିବେ ବୋଲି ଶ୍ରୀ ସାମନ୍ତ କହିଥିଲେ । ଆସନ୍ତା ଡିସେମ୍ବର ମାସରେ ଏହି ଦୁଇ ଖୋଳାଳିଙ୍କ ନାମରେ କିଟ୍‍ର ଦୁଇ ଷ୍ଟାଡିଅମ୍‍ ନାମିତ ହେବ । ଦୁଇ ଜଣ ଅଲିମ୍ପିଆନ୍‍ଙ୍କ ନାମରେ ଗୋଟିଏ ବିଶ୍ୱବିଦ୍ୟାଳୟର ଦୁଇ ଦୁଇଟି ଷ୍ଟାଡିଅମ ଏକାଥରକେ ନାମିତ ହେବାରେ କିଟ୍‍ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ବୋଲି କୁହାଯାଉଛି ।
ଏହି ଅବସରରେ ହୁଇଲ୍‍ ଚେୟାର ଅସି ଚାଳକ ବିଶ୍ୱ ଚାମ୍ପିଅନ୍‍ ରାଖାଲ୍‍ ସେଠୀଙ୍କୁ ୨.୭ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା । ଏହି ଅର୍ଥରେ ସେ ଏକ ହୁଇଲ୍‍ ଚେୟାର କିଣି ଆସନ୍ତା ନଭେମ୍ବରରେ ଇଟାଲୀର ପିସାଠାରେ ଅନୁଷ୍ଠିତ ହେବାକୁ ଥିବା ଦି ଲିନିଂ ଟାୱାର ବିଶ୍ୱକପ୍‍ରେ ଅଂଶଗ୍ରହଣ କରିପାରିବେ ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି ବୋଲି ଶ୍ରୀ ସାମନ୍ତ କହିବା ସହ ପ୍ରମୋଦ ଭଗତ ଓ ଦୂତୀ ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ କିଛି କରିଛନ୍ତି ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ୍‍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen − thirteen =