ଆସନ୍ତା ୧୨ରେ ମଶାଲ ଶୋଭାଯାତ୍ରାରୁ ଶୁଭ ଉଦଘାଟନ ହେବ ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ

0 73

ନବରଙ୍ଗପୁର,୭/୧୦:- ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବ୍ୟବହିତ ପୂର୍ବରୁ ଆସନ୍ତା ୧୨ ତାରିଖରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଚୁଡାନ୍ତ କରାଯାଇଛି । ସୁବର୍ଣ୍ଣ ଜୟନ୍ତୀର ମୁଖ୍ୟ ସମାରୋହ ଆସନ୍ତା ଡ଼ିସେମ୍ବର ୧୬ରୁ ୧୮ ତାରିଖ ତିନିଦିନ ଯାଏଁ ଚାଲିବ । ନବରଙ୍ଗପୁର ଆଲୁମିନା କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ଠାରୁ ଆରମ୍ଭ ହୋଇ କଲେଜ ପରିସରରେ ପହଞ୍ଚିବ । ସେଠାରେ ଅନୁଷ୍ଠାନିକ ଭାବେ ଅତିଥି ମାନଙ୍କ ଦ୍ୱାରା ଶୁଭ ଉଦଘାଟନ କରାଯିବ । ଏଥିରେ ଗଣ୍ୟମାନ୍ୟ ଅତିଥିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶୋଭାଯାତ୍ରାରେ ଦଳ ମତ ନିର୍ବିଶେଷରେ ସ୍ଥାନୀୟ ନେତୃମଣ୍ଡଳ, ନବରଙ୍ଗପୁର ପୌର ପରିଷଦର ନେତୃମଣ୍ଡଳ, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଆଖଡା ଦଳ, ବାଜା ବାଜଣା ଦଳ , ନାଚ ଗୀତ ଦଳ, ସହର ବାସିନ୍ଦା ପ୍ରମୁଖ ସାମିଲ ହୋଇ ମଶାଲ ସମେତ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ଜଣେଇବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନ ସ୍ଥାନୀୟ ପୌରପାଳିକା ସମ୍ମିଳନୀ କକ୍ଷ ଠାରେ ଆଲୁମିନାଇ କମିଟି କାର୍ଯ୍ୟକାରିଣୀ ସଦସ୍ୟ ଓ ପୌରପାଳିକାର ପରିଷଦଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କମିଟିର ସଭାପତି ଗଣେଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌରାଞ୍ଚଳର ବିଭିନ୍ନ ୱାର୍ଡର ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ । ମଶାଲ ଶୋଭାଯାତ୍ରାକୁ କିଭଳି ଭବ୍ୟ ଓ ଆଡମ୍ବର ସହକାରରେ ପାଳିତ ହେବ ଓ ଏହା ଯେଭଳି ରାଜ୍ୟ ଓ ଦେଶରେ ଏକ ଉଦାହରଣ ପାଲଟିବ ସେଥିପାଇଁ ମିଳିତ ପ୍ରୟାସ କରିବାକୁ ପୌର ଅଧ୍ୟକ୍ଷ କୁନୁ ନାୟକ ପରିଷଦ ମାନଙ୍କୁ ଆହ୍ୱାନ ଦେଇଥିଲେ । ପାରିଷଦମାନେ ସେମାନଙ୍କ ଅଞ୍ଚଳରେ ଥିବା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିମନ୍ତ୍ରଣ ଦେଇ ଶୋଭାଯାତ୍ରାରେ ସାମିଲ କରେଇବାସହ ନିଜ ନିଜ ଅଞ୍ଚଳରେ ହୋଡିଙ୍ଗ ଲଗାଇ ପ୍ରଚାର ପ୍ରସାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ନଗରପାଳ ସୌମ୍ୟା ମହାପାତ୍ର , କାଉନସିଲର ରଞ୍ଜିତା ପଣ୍ଡା , ମମତା ମହାରଣା , ଏ ସତୀଶ , ଏମ ମୁରଲୀ କ୍ରୀଷ୍ଣା, ନଗେନ୍ଦ୍ର ପଟ୍ଟନାୟକ , ପି ଉଷା ରାଣି, ଏମ ରାଜେଶ୍ୱରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଅତିଶୀଘ୍ର ବିଭିନ୍ନ ଅନୁଷ୍ଠାନ, ପୂର୍ବତନ କଲେଜ ସଭାପତି ,ସମ୍ପାଦକଙ୍କ ସମେତ ସହରର ଅନେକ ବିଶିଷ୍ଟ ପୁରୁଖା ବ୍ୟକ୍ତି ବିଶେଷଙ୍କ ସହ ବୈଠକର ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସଭାପତି ଗଣେଶ ଦାଶ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × four =