ତେନ୍ତୁଳିଖୁଣ୍ଟି,୨୨/୧୦- ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଣ୍ଟାଗାଁ ସରପଞ୍ଚ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ କଣ୍ଟାଗାଁ ସମିତି ସଭ୍ୟ ଡମ୍ବରୁ ଭତ୍ରା ଓ ତେନ୍ତୁଳିଖୁଣ୍ଟି ଏବିଇଓ ଉପସ୍ଥିତ ଥିଲେ । ମୁଖ୍ୟଅତିଥି ପ୍ରଦୀପ ପ୍ରଜ୍ଜ୍ୱଳନ କରି ସୁରଭି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କଣ୍ଟାଗାଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନକଲାପରେ ସିଆରସିସି ବ୍ରଜ ସଗରିଆଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ନାଚ,ଗୀତ,ସୃଜନଶୀଳ ଲିଖନ,ଚିତ୍ରାଙ୍କନ,ଭାଷଣ,ତର୍କବିତର୍କ ଇତ୍ୟାଦି ପ୍ରତିଯୋଗିତାର ମୂଲ୍ୟାଙ୍କନ ନିମନ୍ତେ ସମସ୍ତ ଶିକ୍ଷକମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଏବଂ ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ବିତରଣ କରାଯାଇଥିଲା । ଏଥିମଧ୍ୟରୁ ଚିତ୍ରାଙ୍କନରେ ପ୍ରଥମ ସ୍ଥାନରେ ଈଶ୍ୱର ଝଡ଼ିଆ, ଦ୍ୱିତୀୟ ସ୍ଥାନରେ ପରମାନନ୍ଦ ପାତ୍ର, ତୃତୀୟରେ ଚନ୍ଦ୍ରକାନ୍ତ ପାତ୍ର, ତର୍କପାଇଁ ମନୋରମା ଡଙ୍ଗରି ପ୍ରଥମ, ଅନ୍ୱେଷା ଟାକ୍ରି ଦ୍ୱିତୀୟ, ଝରଣା ନାୟକ ସଙ୍ଗୀତ ପାଇଁ ସତ୍ୟବତୀ ହରିଜନ ପ୍ରଥମ, ସିମ୍ରନ ଡଙ୍ଗରି ଦ୍ୱିତୀୟ, କିଷାନ ମୁଦୁଲି ତୃତୀୟ ସ୍ଥାନ ଅଧିକାର କରିଥିଲେ । ସାଂସ୍କୃତିକ ନାଚ ପାଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଧଗୁଡାର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଗଗନ ଗରଡ଼ା ଓ ହରେକୃଷ୍ଣ ହରିଜନ ଏବଂ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଶ୍ରୀମତୀ ପ୍ରତିମା ସାମନ୍ତ ।