ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ନୂଆଦିଲ୍ଲୀରେ ବିଜେଡିର ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟ୍ବିଟରରେ ସୂଚନା ଦେଇଛନ୍ତି। ଏଥିସହ ସେମାନେ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ। ସେ ଆଜି ସକାଳେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି।
ନିଜ ଟ୍ବିଟରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତ, ବିଜେପି ସଭାପତି ଜେ ପି ନଡ୍ଡାଜୀ ମୋତେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କର ନାମାଙ୍କନପତ୍ର ଦାଖଲ ବିଷୟରେ କହିଥିଲେ। ମୋର କ୍ୟାବିନେଟ୍ ସହକର୍ମୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଆଜି ନାମାଙ୍କନ ପତ୍ରରେ ଦସ୍ତଖତ କରିବେ। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଉପସ୍ଥିତ ରହିବେ। ଏହି ଦୁଇ ମନ୍ତ୍ରୀ ଶ୍ରୀମତୀ ମୁର୍ମୁଙ୍କ ସହ ଦିଲ୍ଲୀ ଯାତ୍ରା କରିଥିବା ସୂଚନା ରହିଛି।