ପୁରୀ- ଆସନ୍ତାକାଲି ଦେବ ସ୍ନାନପୂର୍ଣ୍ଣିମା । ଅଣସରକୁ ବିଜେ କରିବେ ଠାକୁର । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ। ଏଥିପାଇଁ ଚିତ୍ରକାର ସେବକ ମାନଙ୍କ ଦ୍ଵାରା ଆରମ୍ଭ ହୋଇଛି ପଟି ଦିଅଁ ପ୍ରସ୍ତୁତି । ଇତି ମଧ୍ୟରେ ପଟି ପ୍ରସ୍ତୁତି ହୋଇସାରିଥିବା ବେଳେ ସେଥିରେ ପାରଂ ପରିକ ରଙ୍ଗ ଦେବା କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଚିତ୍ରକର ସାହିର ରବିଶଙ୍କର ମହାରଣା, ହରିହର ମହାରଣା, ଅନନ୍ତ ମହାରଣା ଓ ତାଙ୍କସହଯୋଗୀ ମାନଙ୍କ ଦ୍ବାରାପ୍ରସ୍ତୁତ ହେଉଛି ପଟିଦିଅଁ।ପଟି ଦିଅଁ ପ୍ରସ୍ତୁତି ପାଇଁ ସୁତା କନାକୁ ତେନ୍ତୁଳି ମଞ୍ଜି ପାଣିରେ ବତୁରାଯାଇ ବାଟି ଅଠା ପ୍ରସ୍ତୁତ ହେବାପରେ କନାରେ ଲେପ ଦିଆଯାଇଥାଏ । ଶୁଖୁଗଲା ପରେ ଖଡ଼ି ଗୁଣ୍ଡ ଓ ତେନ୍ତୁଳି ମଞ୍ଜି ମିଶ୍ରିତ ହୋଇ ସ୍ବତନ୍ତ୍ର ଅଠା ଲେପ ଦିଆଯାଏ । ମାପ ଅନୁଯାୟୀ ପଟି କଟାଯିବାପରେ ତଳମୁଣ୍ଡରେ ବାଉଁଶ କାଠି ବନ୍ଧା ହୁଏ । ଧଳା ଓ ଗେରୁ ରଂଗ ପାଣିରେ ତିନି ଦିଅଁଙ୍କ ଆକୃତି ଅଙ୍କନ କରାଯିବା ପରେ ପଟି ଦିଅଁ ପ୍ରସ୍ତୁତ ହୋଇଥାଏ। ପଟି ଦିଅଁରେ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ ପୂଜା ପାଆନ୍ତି। ଅନନ୍ତ ନାରାୟଣଙ୍କ ପଟିର ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥାନ୍ତି। ସେ ହଳଦିଆ ବସ ପରିଧାନ କରିଥିବା ବେଳେ ପାଦ ଦେଶର ବାମ ପାର୍ଶ୍ଵରେ ବଶିଷ୍ଠ, ଅଙ୍ଗିରା, ଭୁଗ୍ଧ, ପରାଶର, ଗର୍ଗ, ପୁଲୟ ଓ ଅଙ୍ଗିରାଋଷି ଦଣ୍ଡାୟମାନ ଥାଆନ୍ତି । ଚାଳି ଉପରେ ଚାରୋଟି ଧଳା ପାରା ଶୋଭାପାଆନ୍ତି । ବାସେଳୀ ସାହିର ନାରାୟଣ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଅନ୍ତ ବାସୁଦେବ ପଟି ଦିଅଁ ପ୍ରସ୍ତୁତ କରୁଛନ୍ତି । ସେହିଭଳି ଅନନ୍ତ ବାସୁଦେବଙ୍କ ପଟି ବଳଭଦ୍ର ରୂପରେ ପୂଜା ପାଆନ୍ତି । ଚତୁଃଭୁର୍ଜରେ ହଳମୂଷଳ ଓ ମୁଣ୍ଡରେ ସପ୍ତଫେଣୀ ନାଗ ଏହି ପଟିରେ ବିରାଜ ମାନ କରିଥାନ୍ତି। ପଟିର ବାମ ପାର୍ଶ୍ଵରେ ନାରଦ ଓ ଡାହାଣ ପାର୍ଶ୍ଵରେ ଶିବ ପ୍ରଣାମ କରିବା ଦୃଶ୍ୟରେ ରହିଥାନ୍ତି । ଦେବୀ ସୁଭଦ୍ରାଙ୍କ ପରିବର୍ତ୍ତେ ଅଣସର ପଟିରେ ଭୂବନେଶ୍ଵରୀଙ୍କ ପଟି ଦିଅଁ ପୂଜାପାଆନ୍ତି । ଚତୁଃର୍ଭୂଜା ଭୂବନେଶ୍ଵରୀ ଦୁଇ ହାତରେ ପଦ୍ମ ଓ ଅନ୍ୟ ୨ ହସ୍ତରେ ବର ଓ ଅଭୟ ମୁଦ୍ରାରେ ସଜ୍ଜିତ ହୋଇଥାନ୍ତି । ଶିର୍ଷରେ ୬ଟି ପାରା, ଦୁଇଟି ଶୁଆ ଓ ଚକ୍ରରାଜ ଶୋଭାପାଆନ୍ତି । ପଟିଦିଅଁ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷାରୁ ଚିତ୍ରକର ମାନଙ୍କୁ ଖେଇ ଆକାରରେ ଚଢ଼େଇ ନେଦା ମିଳିଥାଏ। ପଟି ଦିଅଁ ପ୍ରସ୍ତୁତି ସମୟରେ ଚିତ୍ରକର ସେବାୟତ ଓ ସେମାନଙ୍କର ପରିବାର ଲୋକେ ହବିଷ୍ୟାନ୍ନ ସେବନ କରିଥାନ୍ତି। ସ୍ନାନପୂର୍ଣିମୀରେ ଠାକୁରଙ୍କ ବାହୁଡ଼ା ପହଣ୍ଡିପରେ ବିଳମିତ ରାତ୍ରୀରେ ଶ୍ରୀମନ୍ଦିରରୁ ଏକ ପଟୁଆର ଚିତ୍ରକରଙ୍କ ଘରକୁ ଯାଇଥାଏ। ସେମାନଙ୍କ ଘରର ମହିଳାମାନେ ପାରମ୍ପରିକ ପୂଜାର୍ଚ୍ଚନା ସମାପ୍ତ ପରେ ଘଣ୍ଟ ଛତା କାହାଳୀ ସହ ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି। ପୁରୁଷାନୁକ୍ରମିକ ଭାବେ ଚିତ୍ରକର ମାନେ ଏହି ପଟିଦିଅଁ ପ୍ରସ୍ତୁତ କରି ଆସୁଅଛନ୍ତି।
