ପୁରୀ,୨/୧- ସହରରେ ଅଭାବନୀୟ ଘଟଣା । ନିଜ ମା ମଲା ଶବକୁ କାନ୍ଧ ଦେଲେନି ଦୁଇ ପୁଅ । ଶେଷରେ କିଛି ଉପାୟ ନ ପାଇ ସାମାଜିକ ବିଧି ବ୍ୟବସ୍ଥା ଭୃକ୍ଷେପ ନକରି ନିଜ ମା’ର କୋକେଇକୁ କାନ୍ଧଦେଲେ ୪ ଝିଅ । ଦୀର୍ଘ ୪ କିଲୋମିଟର ଚାଲି ସ୍ୱର୍ଗ ଦ୍ୱାରରେ କଲେ ଅନ୍ତିମ ସଂସ୍କାର । ମୃତ ମହିଳା ହେଉଛନ୍ତି ପୁରୀ ବାସେଳିସାହି ଥାନା ମଙ୍ଗଳାଘାଟ ଅଂଚଳ ର ୮୧ ବର୍ଷୀୟ ଜଟି ସାହୁ । ଜଟିଙ୍କ ଅନ୍ତିମ ସଂସ୍କାରରେ ଜ୍ୱାଇଁ , ନାତିମାନେ ସାମିଲ ହୋଇ ଥିଲେ । ତେବେ ସୂଚନା ଅନୁଯାୟୀ ଜଟି ଦୀର୍ଘ ୧୨ ବର୍ଷ ହେବ ତାଙ୍କ ସାନ ଝିଅ ଓ ମଝିଆ ଝିଅ ଘରେ ରହୁଥିଲେ । ଜଟିଙ୍କୁ ତାଙ୍କ ଦୁଇପୁଅ ଖାଇବା ପିଇବା ଦୂରର କଥା ଯତ୍ନ ମଧ୍ୟ ନେଉ ନଥିଲେ । ଫଳରେ ଜଟିଙ୍କୁ ତାଙ୍କ ଝିଅ ଘରେ ରହିବାକୁ ପଡିଥିଲା ଦୀର୍ଘ ବର୍ଷ ହେବ । ମା ର ଯତ୍ନ ନେବାକୁ ଭାଇ ମାନଙ୍କୁ ଯେତେ ଭଉଣୀମାନେ କହିଥିଲେ ମଧ୍ୟ ଦୁଇ ଭାଇ ଶୁଣି ନଥିଲେ ବରଂ ଗଣ୍ଡଗୋଳ କରିଥିଲେ । ତେବେ ଗତ କିଛିଦିନ ହେବ ଅସୁସ୍ଥ ଥିବା ଜଟି ସାହୁ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ପରେ ମା ର ଅନ୍ତିମ ସଂସ୍କାର ନେଇ ଭାଇଙ୍କୁ ଖବର ଦିଆଯାଇ ଥିଲେ ମଧ୍ୟ କେହିବି ଆସି ନଥିଲେ । ଯେଉଁ ମା ପିଲାଟି ଦିନରୁ ପୁଅଙ୍କୁ ଗେହ୍ଲାବସରରେ ବଢ଼ାଇ ବଡ଼ କରିଥିଲେ ସେମାନେ ମା କୋକେଇକୁ କାନ୍ଧ ଦେବାକୁ ଆସି ନଥିଲେ । ଏ ନେଇ ଭାଇ ଭଉଣୀଙ୍କ ମଧ୍ୟରେ କଜିଆ ଲାଗିବାରୁ ୪ ଭଉଣୀ ବାଧ୍ୟ ହୋଇ ମା ର କୋକେଇକୁ କାନ୍ଧ ଦେଇ ଶେଷ ସମୟରେ ବିଦାୟ ଦେଇଥିଲେ । ଏହି ଘଟଣା ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଜଟି ସାହୁଙ୍କ ଦୁଇ ପୁଅଙ୍କ ଏଭଳି ବିବେକ ହୀନତା କାର୍ଯ୍ୟ ସାଧାରଣରେ ସମାଲୋଚନା କରାଯାଇଛି । ସେପଟେ ଜଟି ସାହୁଙ୍କ ୪ ଝିଅ ସୀତାମଣି ସାହୁ , ସୁଶିଳା ସାହୁ , ସୁମିତ୍ରା ସାହୁ ଓ ସରସ୍ୱତୀ ସାହୁଙ୍କ ନିଜ ମା ପ୍ରତି ଥିବା ଭଲ ପାଇବାକୁ ବେଶ ଉଚ୍ଚପ୍ରଶଂସା କରାଯାଇଛି ।