ଜାନୁଆରୀ ୧୧ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ହେବ ରଥକାଠ ଅନୁକୂଳ

0 70

ଦଶପଲ୍ଲା: ଆସନ୍ତା ୨୦୨୨ ମସିହା ଜାନୁଆରୀ ୧୧ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ସକାଶେ ରଥକାଠ ଅନୁକୂଳ ପୂଜା ଶୁଭାରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ପ୍ରତିବର୍ଷ ପାରମ୍ପରିକ ଭାବେ ରଥକାଠ ସଂଗ୍ରହ ପାଇଁ ବିଧିବିଧାନ ଅନୁଯାୟୀ ଦିନ ଧାର୍ଯ୍ୟ ହେବା ପରେ ‘ଶ୍ରୀମନ୍ଦିର ପକ୍ଷରୁ ନୟାଗଡ଼ ବନଖଣ୍ଡକୁ ଏହି ସୂଚନା ଦିଆଯାଇଥାଏ । ଚଳିତବର୍ଷ ଜାନୁଆରୀ ୧୧ତାରିଖ ମଙ୍ଗଳବାର ଦିନ ଏହି ଶୁଭଦିନ ପଡୁଥିବାରୁ ,ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ବନାଞ୍ଚଳ ଅଧିକାରୀ ନିଖିଲେଶ୍‌ ମଲ୍ଲିକ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ଠାରୁ ପୂର୍ବଦିନ ସ୍ୱତନ୍ତ୍ର ପୂଜା କରାଯାଇ ଶ୍ରୀମନ୍ଦିର ପ୍ରଶାସନର ଏକ ଦଳ ଲାଗିମାଳ ସହିତ ମହାପ୍ରସାଦ, ଅଙ୍ଗବସ୍ତ୍ର, ନଡିଆ ଧରି ଦଶପଲ୍ଲା ଅଭିମୁଖେ ଗସ୍ତ କରିବେ । ନୟାଗଡ଼ରୁ ମହାନଦୀ ଅବବାହିକାରେ ଥିବା ଗଣିଆ ବଡ଼ମୂଳସ୍ଥିତ ମା ‘ ବଡ଼ରାଉଳଙ୍କ ପୀଠରେ ଲାଗିମାଳ ପହଞ୍ଚିବା ପରେ ଭୋଗ, ଯଜ୍ଞ କରାଯାଇ , ଅନୁକୂଳ କାଠ ଛେଦନ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ କାଠ ଶ୍ରୀପଞ୍ଚମୀର ଅବ୍ୟବହିତ ପୂର୍ବରୁ ବଡ଼ଦାଣ୍ଡରେ ପହଞ୍ଚିବା ପରମ୍ପରା ରହିଛି । ଜଗନ୍ନାଥ ଦଳ ତରଫରୁ ରଥ ସେବକମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜଗନ୍ନାଥ ଦଳର ମାର୍ଗଦର୍ଶକ ଭକ୍ତ ପ୍ରଭୁଜୀ ଲଳିତ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିନ ନାମ ସଂକିର୍ତ୍ତନ ସହିତ ରଥ ସେବକମାନଙ୍କୁ ଏକ ବିଶାଳ ପଟୁଆରରେ ମନ୍ଦିର ପରିସରକୁ ଅଣାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।

hiranchal ad1
Leave A Reply

Your email address will not be published.

12 − 10 =