୫୪୦୦ ବୋତଲ ପ୍ରତିବନ୍ଧିତ କଫ ସିରପ ଜବତ ସହିତ ୩୨ ଜଣ ଗିରଫ

0 81

ସମ୍ବଲପୁର,୯/୧୦:- ସମ୍ବଲପୁର ନଗର ଉପକଣ୍ଠସ୍ଥିତ ଧନୁପାଲି ପୁଲିସ ଥାନା ଅନ୍ତର୍ଗତ ସ୍ଥାନୀୟ ଝାଙ୍କରପଡାରେ ବିପୁଳ ପରିମାଣରେ ପ୍ରତିବନ୍ଧିତ କଫ ସିରପ ଜବତ କରିବା ସହିତ ଏଥିରେ ସାମିଲ ୩୨ ଜଣଙ୍କୁ ଗିରଫ କରିବାରେ ପୁଲିସକୁ ସଫଳତା ମିଳିଛି । ଆଜି ସନ୍ଧ୍ୟାରେ ନିଜ କାର୍ଯ୍ୟାଳୟକୁ ଡ଼କାଇ ଏସଡିପିଓ ପ୍ରଦୀପ ସାହୁ ସାମ୍ବାଦିକ ମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆଜି ସକାଳୁ ପେଟ୍ରୋଲିଂ କରୁଥିବା ସମୟରେ ଉକ୍ତ ସ୍ଥାନରେ କିଛି ଲୋକଙ୍କୁ ଦେଖି ସେଠାରେ ପଚାରି ବୁଝିବାରୁ ଏ ନେଇ ଜଣାପଡ଼ିଥିଲା । ସୂଚନା ଅନୁସାରେ ସ୍ଥାନୀୟ ଧନୁପାଲିି, ଟାଉନ, ସଦର, ଅଇଁଠାପାଲି, ବରେଇପାଲି ଓ କ୍ଷେତରାଜପୁର ଆଦି ଛ’ଟି ପୁଲିସ ଥାନାରୁ ପୁଲିସବଳ ଏକତ୍ରିତ କରି ଉକ୍ତ ଗାଁ’ରେ ଧରପଗଡ କରିବା ଫଳସ୍ୱରୂପ ଏହି ପ୍ରତିବନ୍ଧିତ କଫ ସିରପ ବିକ୍ରି କରୁଥିବା ୨୬ ଜଣଙ୍କ ସହ ଏଥିରେ ସାମିଲ ମୋଟ ୩୨ ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି । ଏହା ସହିତ ୧୮ଟି ବସ୍ତାରେ ବନ୍ଧାଯାଇଥିବା ମୋଟ ୫ ହଜାର ୪୦୦ ବୋତଲ ୱିନସିରେକ୍ସ କଫ ସିରପ ସେମାନଙ୍କ ଠାରୁ ବରାମଦ କରି ଜବତ କରାଯାଇଛି । ଏତଦ୍‌ ବ୍ୟତୀତ ସେମାନଙ୍କ ଠାରୁ ୧୨ ହଜାର ଟଙ୍କା ନଗଦ, ଗୋଟିଏ ଡାଏରୀ ଓ ଦୁଇଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ଏହି ବେଆଇନ ବ୍ୟବସାୟରେ ଆଉ କିଛି ଲୋକ ସାମିଲ ରହିଛନ୍ତି ବୋଲି ଆଶଙ୍କା କରାଯାଉଛି । ଏହାକୁ ନେଇ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

four × 5 =