ଭିସୁଟରେ ପୁଣି ରେଗିଙ୍ଗ ଘଟଣାରୁ ଉତ୍ତେଜନା

0 84

ସମ୍ବଲପୁର, ୨୪/୯- ସ୍ଥାନୀୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ପୁଣି ରେଗିଙ୍ଗ ଘଟଣା ପରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି । ଏଥିରେ ୩ୟ ବର୍ଷ ପ୍ରଡକ୍ସନ ଇଂଜିନିୟରିଂର ଜଣେ ଛାତ୍ର ଉପରେ ରେଗିଙ୍ଗ ନାଁ ରେ ୪ର୍ଥ ବର୍ଷର ପ୍ରାୟ ୧୮ ଜଣ ଆକ୍ରମଣ କରିବା ଅଭିଯୋଗ ସାମନାକୁ ଆସିଛି । ତାଙ୍କୁ ପ୍ରଥମେ ମୋବାଇଲ ମଗାଯାଇଥିଲା ଓ ଏହା ଦେବାପାଇଁ ମନା କରିଦେବାରୁ ତାଙ୍କ ଉପରେ ଏପରି ଆକ୍ରମଣ କରାଯାଇଥିଲା । ଭିସୁଟର ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁସାରେ ତାଙ୍କର ଶୃଙ୍ଖଳା କମିଟି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତକଲା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ । ଏବିଷୟରେ ଖବର ପାଇଲା କ୍ଷଣି ତାଙ୍କର ମାତାପିତା ଆସି ପହଞ୍ଚିଥିଲେ ଓ ଭିସୁଟର ଛାତ୍ର କଲ୍ୟାଣ ଡିନଙ୍କ ସହିତ ଏହି ଘଟଣା ବିଷୟରେ ଆଲୋଚନା କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଭିସୁଟର ପୁଲହ ଛାତ୍ରାବାସରେ ବିଳମ୍ବିତ ରାତିରେ ଏହା ଘଟିଥିଲା ଓ ଶାରୀରିକ ନିର୍ଯ୍ୟାତନାର ପ୍ରମାଣସ୍ୱରୂପ ପୀଡ଼ିତ ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ଗତକାଲି ପୀଡ଼ିତ ଛାତ୍ରଙ୍କୁ ଚିକିତ୍ସା ଓ ମେଡିକାଲ ରିପୋର୍ଟ ପାଇଁ ନିକଟସ୍ଥ ଭିମସାର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସିଟି ସ୍କାନ ଜରିଆରେ ଶରୀରର ଆନ୍ତରିକ କ୍ଷତି ବିଷୟରେ ଆକଳନ କରାଯାଇଛି । ଭିସୁଟରେ ଏପରି ଘଟଣା ପୂର୍ବରୁ ଘଟିଛି ଓ ରେଗିଙ୍ଗ ଉପରେ ନିୟନ୍ତ୍ରଣ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଘୋଷଣା କରାଯାଇଛି, କିନ୍ତୁ ତଥାପି ଏହାର ପୁନରାବୃତ୍ତି କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।

hiranchal ad1
Leave A Reply

Your email address will not be published.

3 × 2 =