ସୁରେଶ୍ୱରୀଙ୍କ ଅଳଙ୍କାର ଚୋରୀ ଘଟଣାରେ ଜିଲ୍ଲା ପୋଲିସର ୩ ଜଣ କର୍ମଚାରୀ ନିଲମ୍ବିତ

0 347

ସୁବର୍ଣ୍ଣପୁର,୧/୧୨- କାର୍ଯ୍ୟରେ ଅବହେଳା କରିଥିବାରୁ ସଦର ଟାଉନ ଥାନାର କନେଷ୍ଟବଳ ଶଙ୍କରଭାନୁ ବେହେରା, ହୋମଗାର୍ଡ ଅନ୍ତର୍ଯ୍ୟାମୀ ସେଠୀ ଓ ନୃପରାଜ ସୁନାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଗତକାଲି ଗଡଜାତର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିରର ମୁଖ୍ୟ ଫାଟକ ଓ ଗମ୍ଭୀରା ଫାଟକର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଦେବୀଙ୍କ ଅଳଙ୍କାର ଚୋରୀ କରି ନେଇଥିଲେ । ଦେବୀଙ୍କ ୨୦ ଭରିର ରୂପା ମୁକୁଟ ସହିତ ରୂପାର ଦୁଇଟି ବଡ ଛତ୍ର ଚୋରୀ କରି ନେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳକୁ ପୋଲିସ ଓ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ନିହାର ରଂଜନ କହଁର ପହଞ୍ଚି ଘଟଣା ସଂପର୍କରେ ସେବାୟତମାନଙ୍କୁ ପଚାରି ବୁଝିବା ସହିତ ତଦନ୍ତ କରିଥିଲେ । ଦେବୀ ମାଁ ସୁରେଶ୍ୱରୀ ଗଡଜାତର ଇଷ୍ଟଦେବୀ ହୋଇଥିବାରୁ ଏହି ଘଟଣା ଗଡଜାତବାସୀଙ୍କ ମନରେ ଗଭୀର ରେଖାପାତ ସୃଷ୍ଟି କରିଛି । ତେବେ ଏହି ଘଟଣାର ସମ୍ବେଦନଶୀଳତାକୁ ହୃଦୟଙ୍ଗମ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏକ ସ୍ୱତନ୍ତ୍ର ପୋଲିସ ଦଳ ଏହି ଘଟଣାର ତଦନ୍ତ କରୁଛି । ତେବେ ଖୁବ ଶୀଘ୍ର ଚୋରି ଜିନିଷ ଉଦ୍ଧାର କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ କରାଯାଇଛି । ତେବେ ମନ୍ଦିରରୁ ଚୋରି ଘଟଣା ଏଇଟା ପ୍ରଥମ ନୁହେଁ ବରଂ ପୂର୍ବରୁ ମଧ୍ୟ ସୁରେଶ୍ୱରୀଙ୍କ ମନ୍ଦିରରୁ ଚୋରି ହେବାସହ କେହି ଦୁର୍ବୃତ୍ତ ଅଦ୍ୟାବଧି ଧରାପଡିନାହାନ୍ତି । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ମନ୍ଦିର ପରିସରରେ ରାତିରେ ପୁଲିସ ଜଗୁଆଳି ଥିବା ସତ୍ୱେ କିପରି ପୁଣି ଚୋରିହୋଇଛି ଏକଥାକୁ ସହଜରେ ନେଇପାରିନାହାନ୍ତି ସହରବାସୀ । ଯେତେ ଶୀଘ୍ର ହେବ ଏଘଟଣାର ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଚୋରି ସାମଗ୍ରୀ ଉଦ୍ଧାର କରିବାପାଇଁ ଜନସାଧାରଣରେ ପ୍ରବଳ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

19 − sixteen =