ସୋନପୁରରେ ଆରମ୍ଭ ହେଲା ହରଗୌରୀ ଯାତ୍ରା

0 75

ସୋନପୁର,୨୦/୧୦- ଗୌରୀଙ୍କ ନିମନ୍ତ୍ରଣରୁ ଗତକାଲି ବିଳମ୍ବିତ ରାତ୍ରୀରୁ ଆରମ୍ଭ ହେଲା ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା । ପ୍ରଥମେ ମାଁବୁଢିମାଙ୍କ ମନ୍ଦିର ସାମ୍ନାରେ କାଠିପକା ଯିବାପରେ ମାଁ ବୁଢିମାଙ୍କର ଆଜ୍ଞାନେଇ ଏକ ପଟୁଆରରେ ସୁବର୍ଣ୍ଣମେରୁଙ୍କ ଜମିରୁ ଧାନଗଛକୁ ବରଣକରି ପୂଜାର୍ଚ୍ଚନା କରି ଏକ ଅବିବାହିତ ଯୁବକ ସ୍ୱାଗତଂ ପାତ୍ର ମୁଣ୍ଡରେ ଧାରଣକରି ଘଣ୍ଟ ଶଙ୍ଖ ଭେରିତୁରୀ ଓ ସଂକୀର୍ତ୍ତନ ସହ ଏକ ପଟୁଆରରେ ବୁଢିମା ମନ୍ଦିର ପରିସରକୁ ଆସିଥିଲେ । ରାସ୍ତାରେ ଅନେକ ଶ୍ରଦ୍ଧାଳୁ ନିଜନିଜ ଦ୍ୱାର ସାମ୍ନାରେ କଳସ ଓ ଦୀପ ଜାଳି ମାଁଗୌରୀଙ୍କ ଆଶିର୍ବାଦ ନେଇଥିଲେ । ଆଜି କୁମାରପୂର୍ଣ୍ଣିମା ଯୋଗୁଁ ପ୍ରଥମ ଅର୍ଘ୍ୟ ସ୍ୱରୂପ ସାହିର ପ୍ରତ୍ୟେକ ଘରୁ କ୍ଷୀରୀ ଓ ପିଠାଭୋଗ ମାଁଙ୍କ ପାଖରେ ସମର୍ପଣ କରିଥିଲେ । ପ୍ରତିବର୍ଷେ ଅନ୍ତରରେ ସୋନପୁର ଢେରାପଡାରେ ରହୁଥିବା ତେଲୁଗୁ ସଂପ୍ରଦାୟ (ଢେରା)ଙ୍କ ଦ୍ୱ ।ରା ଆୟୋଜିତ ହୋଇଥାଏ ଏହି ହରଗୌରୀଙ୍କ ପୂଜନୋତ୍ସବ । ଏହାକୁ ତେଲୁଗୁ ଭାଷାରେ ଗୌରାମ୍ମା ସାମ୍ରାଲୁ ବୋଲି ମଧ୍ୟ କୁହାଯାଏ । କାହିଁ ଆବାହମାନ କାଳରୁ ସୋନପୁର ଠାରେ ଏହି ସଂପ୍ରଦାୟର ଲୋକଙ୍କ ଦ୍ୱାରା ଏହିଯାତ୍ରା ଆୟୋଜନ ହେଉଥିଲେହେଁ ସହରର ସମସ୍ତ ଲୋକଙ୍କ ସହଭାଗିତା ଯୋଗୁଁ ଏଇଯାତ୍ରାର ଏକ ସ୍ୱତନ୍ତ୍ର ପରିଚୟ ରହିଛି ସମଗ୍ର ଓଡ଼ିଶାରେ । ପ୍ରଥମେ ସୁବର୍ଣ୍ଣପୁରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ନିଜସ୍ୱ ଜମିରୁ ଧାନଗଛକୁ ଗୌରୀଙ୍କ ରୂପରେ ପୂଜାର୍ଚ୍ଚନା କରି ଆଣିବାପରେ ଦିନକପରେ ସୋନପୁରର ବିଶିଷ୍ଟ ମୂର୍ତ୍ତିକାର ସ୍ୱର୍ଗତ ଗୋଲେଖ ସାହୁଙ୍କ ବାସଭବନରୁ ଦେବାଧିଦେବ ଶିବଙ୍କୁ ଆବାହନ କରି ଅଣାଯାଇ ଢେରାପଡା ସ୍ଥିତ ବୁଢିମା ମନ୍ଦିର ପରିସରରେ ରଖି ଦୀର୍ଘ ନଅ ଦିନଧରି ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ପ୍ରତ୍ୟହ ରୁଦ୍ରାଭିଷେକ ଓ ମହାପୂଜା ଓ ଆକର୍ଷଣୀୟ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଥାଏ । ଏହିସମୟରେ ସଂପୂର୍ଣ୍ଣ ସହର ଉତ୍ସବ ମୁଖରିତ ଜଣାପଡିଥାଏ । ହେଲେ ଏବର୍ଷ କୋଭିଡ଼ କଟକଣାକୁ ଅନୁପାଳନ ପୂର୍ବକ ଏହି ଯାତ୍ରା କେବଳ ନୀତିକାନ୍ତିରେ ସୀମିତ ରଖିବାପାଇଁ ଯାତ୍ରା ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି ।

hiranchal ad1
Leave A Reply

Your email address will not be published.

thirteen − 13 =