ସଂଗୀତଶିଳ୍ପୀ ରୀତାରାଣୀ ମିଶ୍ର ମହାପାତ୍ରଙ୍କ ପରଲୋକ

0 239

ସୁବର୍ଣ୍ଣପୁର,୧୦/୧୨- ସଂଗୀତଶିଳ୍ପୀ ତଥା ଭାଓଲିନ ବାଦକ ବଲାଙ୍ଗିରର ରୀତାରାଣୀ ମିଶ୍ର ମହାପାତ୍ରଙ୍କ ୪୮ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । ଆକସ୍ମିକ ଭାବେ ଦେହ ଖରାପ ହେବାରୁ ପ୍ରଥମେ ବଲାଙ୍ଗିରରେ ଚିକିତ୍ସା ପରେ ବୁର୍ଲାର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ସ୍ଥାନାନ୍ତରଣ ହୋଇ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗୀୟା ରୀତାରାଣୀଙ୍କ ପରଲୋକରେ ଜନ୍ମମାଟି ସୁବର୍ଣ୍ଣପୁର ଓ କର୍ମଭୂମି ବଲାଙ୍ଗିର ସମେତ ପଶ୍ଚିମ ଓଡିଶାର କଳାଜଗତରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗୀୟା ରୀତାରାଣୀ ମିଶ୍ର ମହାପାତ୍ର ଶଲାବୁଢାର ଲେଖକ କପିଳେଶ୍ୱର ମହାପାତ୍ରଙ୍କ କନିଷ୍ଠା ଝିଅ ଓ ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସାନ ଭଉଣୀ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ଡା.ବିଷ୍ଣୁପ୍ରସାଦ ମିଶ୍ରଙ୍କ ସହ ଭାଇ ସୁଶାନ୍ତ ମହାପାତ୍ର ଓ ମଣ୍ଟୁ ମହାପାତ୍ରଙ୍କ ସମେତ ନିକଟ ପରିବାରର ନିକଟ ସଂପର୍କୀୟମାନେ ଉପସ୍ଥିତ ଥିଲେ । ଦିବଙ୍ଗତା ରୀତାରାଣୀଙ୍କ ୨ଟି ପୁଅ ଥିବାବେଳେ ବଡପୁଅ ଜୀତାମିତ୍ର ବିଜୁ ପଟ୍ଟନାୟକ ଫିଲ୍ମ ପ୍ରତିଷ୍ଠାନରେ ଅଧ୍ୟୟନରତ ଥିବାବେଳେ ସାନପୁଅ ଉଦିତ୍‌ ବିକାଶ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି । ବଲାଙ୍ଗିରସ୍ଥିତ ଘରେ ବନ୍ଧୁୁ ତଥା ପରିବାରସ୍ୱଜନ ଶେଷ ଦର୍ଶନ କରି ଦିବଙ୍ଗତା ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପରେ ପରେ ସ୍ଥାନୀୟ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା ସଂପନ୍ନ କରାଯାଇଛି ।

hiranchal ad1
Leave A Reply

Your email address will not be published.

eighteen − six =