ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା, ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

0 136

ବାଲିଗୁଡ଼ା: ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା । ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ୱାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳାଭିଷେକ କରନ୍ତି ଏହି ପବିତ୍ର ମାସରେ ।
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମନରେ ଅକୁଣ୍ଠ ଭକ୍ତିଭାବ ଓ ବିଶ୍ୱାସ ନେଇ ମହାଦେବଙ୍କ ନିକଟରେ ଜଳାଭିଷେକ କରିଛନ୍ତି କାଉଡ଼ିଆ । ରାଜ୍ୟର ବିଭିନ୍ନ ସ୍ଥାନଭଳି କନ୍ଧମାଳ ଜିଲ୍ଲା ବାଲିଗୁଡାରେ ମଧ୍ୟ ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ମହାଦେବଙ୍କ ନିକଟରେ ଜଳଲାଗି କରିବାପାଇଁ ଶତାଧିକ କାଉଡ଼ିଆଙ୍କ ଭିଡ଼ ଲାଗିଛି । ସକାଳୁ ସକାଳୁ ବାଲିଗୁଡା ଖଡ଼ଗନଦୀ ଘାଟରେ ଶତାଧିକ କାଉଡ଼ିଆଙ୍କର ଭିଡ଼ ଜମିଥିଲା । ନହୀରୁ ବାଲି ଆଣି ତୁଠରେ ବାଲୁକା ଲିଙ୍ଗ ସ୍ଥାପନା କରି ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବାପରେ ସଙ୍କଳ୍ପ କରି ଜଳ ନେଇ କାଉଡ଼ିଆମାନେ ବାହାରିଥିଲେ ଶିବାଳୟ ଅଭିମୁଖେ । ଗତ ଦୁଇବର୍ଷ ଧରି ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା । ଫଳରେ ସମସ୍ତ ଧର୍ମ ପୀଠ ଜନଶୂନ୍ୟ ହୋଇପଡ଼ିଥିଲା ଏବଂ ଭକ୍ତ ଶ୍ରଦ୍ଧାଳୁଙ୍କ ମନରେ ନିରାଶାଭାବ ଦେଖା ଦେଇଥିଲା । କିନ୍ତୁ ଚଳିତ ବର୍ଷ ଭଗବାନଙ୍କ କୃପାରୁ କଟକଣା କୋହଳ ହୋଇଥିବା ଯୋଗୁଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଭଳି ଚଳିତବର୍ଷ ପ୍ରଥମ ଶ୍ରାବଣ ସୋମବାରରେ ଶତାଧିକ କାଉଡ଼ିଆଙ୍କର ଭିଡ଼ ଦେଖିବାକୁ ମିଳିଛି ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠରେ । ପୂର୍ବରୁ ବାଲିଗଡା ଅଞ୍ଚଳରେ କମ୍‌ ଭକ୍ତ ଏହି ମାସିକ ଶ୍ରାବଣୀ ବ୍ରତ ପାଳୁଥିଲେ । କ୍ରମଶଃ ଭକ୍ତଙ୍କ ମନସ୍କାମନା ପୂରଣ ହେବାସହ ମନରେ ଅଗାଢ଼ ଭକ୍ତି ନେଇ ଧିରେଧିରେ କାଉଡ଼ିଆଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି ଅଞ୍ଚଳରେ । ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ହଜାର ହଜାର କାଉଡ଼ିଆ ବାଲିଗୁଡା ଖଡ଼ଗନଦୀ ଘାଟରେ ଏକାଠି ହୋଇ ଘାଟରୁ ଜଳନେଇ ମହାଦେବଙ୍କ ନିକଟରେ ଜଳଲାଗି କରିବାପାଇଁ ବାହାରିଥାନ୍ତି । ପ୍ରଥମ ସୋମବାରରୁ ବାଲିଗୁଡାରେ କାଉଡ଼ିଆଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ।

hiranchal ad1
Leave A Reply

Your email address will not be published.

fifteen + 18 =