ପୁରୀ- ଆଜି ଅପରାହ୍ନ 5ଟାରେ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହେବ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ଉକ୍ତ ବୈଠକରେ ଆସନ୍ତା 7 ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଅନୁମୋଦନ ହେବ। କେବଳ ଏତିକି ନୁହେଁ ବରଂ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ବୈଠକରେ ଆଲୋଚନା କରାଯିବ। ସେପ୍ଟେମ୍ବର 15 ତାରିଖରୁ ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଛତିଶାନିଯୋଗ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯିବ। ବିଶେଷ ନୀତିକାନ୍ତି ସମୟରେ କାଠରେ ତିଆରି ରାମ୍ପକୁ କିଭଳି ଅପସାରଣ କରାଯିବ,କିଭଳି ମହିଳା, ପୁରୁଷ, ଛୋଟପିଲା,ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ମାନେ ନାଟମଣ୍ଡପରେ ଶୃଙ୍ଖଳିତ ଭାବେ ଧାଡିରେ ଦର୍ଶନ କରିପାରିବେ ସେନେଇ ଛତିଶାନିଯୋଗ ବୈଠକରେ ବିଭିନ୍ନ ସେବକ ପ୍ରତିନିଧିଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବ। ତେବେ ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ। ସେପଟେ ଛତିଶାନିଯୋଗ ବୈଠକର ପରଦିନ ଅର୍ଥାତ ଆସନ୍ତାକାଲି ସେପ୍ଟେମ୍ବର 3 ତାରିଖରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଗଜପତି ମହାରାଜାଙ୍କ ଅଧକ୍ଷତାରେ ନୂତନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାରଙ୍କ ଦ୍ବାରା ମନୋନୀତ 10 ଜଣ ନୂତନ ସଦସ୍ୟକୁ ସ୍ୱାଗତ କରାଯିବା ସହ ନୂତନ ସବକମିଟି ଗଠନ କରାଯିବ। ଛତିଶାନିଯୋଗ ବୈଠକରେ ଚନ୍ଦ୍ର ଗ୍ରହଣ ଉପରେ ଅନୁମୋଦନ ହୋଇଥିବା ନୀତିନିର୍ଘଣ୍ଟକୁ ପରିଚାଳନା କମିଟି ମୋହର ମାରିବ ଓ ଏହାସହ ନାଟମଣ୍ଡପରେ ଧାଡି ଦର୍ଶନ, ରତ୍ନ ଅଳଙ୍କାର ଗଣତିମଣତି, ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ ଆଲୋଚନା ହେବାସହ ଶ୍ରୀମନ୍ଦିର ଆଇନ୍ ରେ ଶଂସୋଧନ ପାଇଁ ମଧ୍ୟ ଆଲୋଚନା କରାଯିବ।
